ସ୍ନାନମଣ୍ଡପରେ ଦୁର୍ଲଭ ଗଜାନନ ବେଶରେ ମହାପ୍ରଭୁ, ଲୋକାରଣ୍ୟ ବଡଦାଣ୍ଡ

ଦିବ୍ୟସ୍ନାନ ପରେ ଶ୍ରୀଜିଉଙ୍କୁ ଗଜାନନ ବେଶରେ ଦର୍ଶନ କରିଛନ୍ତି ଭକ୍ତ । ଦୁର୍ଲଭ ଗଜାନନ ବେଶ ଦେଖୁଛନ୍ତି ଲକ୍ଷାଧିକ ଭକ୍ତ ।

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । 108 ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ଦିବ୍ୟସ୍ନାନ ପରେ ଶ୍ରୀଜିଉଙ୍କୁ ଗଜାନନ ବେଶରେ ଦର୍ଶନ କରିଛନ୍ତି ଭକ୍ତ । ଦୁର୍ଲଭ ଗଜାନନ ବେଶ ଦେଖୁଛନ୍ତି ଲକ୍ଷାଧିକ ଭକ୍ତ । ଏଥିପାଇଁ ଲୋକାରଣ୍ୟ ବଡ଼ଦାଣ୍ଡ। ହାତୀ ବା ଗଜାନନ ବେଶରେ ଶୋଭାପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସ୍ନାନମଣ୍ଡପରେ ଗଜାନନ ବେଶରେ ମହାପ୍ରଭୁ ।

ଗଜାନନ ବେଶ ପରେ ଶ୍ରୀମନ୍ଦିରକୁ ଠାକୁରମାନେ ଗୋଟି ପହଣ୍ଡିରେ ବିଜେ କରନ୍ତି । ଭିତର କାଠ ପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବା ପରେ ତାଟି ବନ୍ଧାଯାଏ ଓ ପଟି ଦିଅଁ ପୂଜା ପାଆନ୍ତି । ସ୍ନାନ ପୂର୍ଣ୍ଣିମାରୁ ନେତ୍ରୋତ୍ସବ ଯାଏଁ 15 ଦିନ ଧରି ଜ୍ବରରେ ଆକ୍ରାନ୍ତ ହୁଅନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହାକୁ ଅଣସର କୁହାଯାଏ । ଏହି 15 ଦିନ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ବ୍ରହ୍ମଗିରିରେ ପୂଜିତ ହେଉଥିବା ପ୍ରଭୁ ଅଲାର ନାଥଙ୍କୁ ଦର୍ଶନ କରନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ଅଣସରରୁ ମହାପ୍ରଭୁ ସୁସ୍ଥ ହେବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା କରନ୍ତି ।