fbpx
BJD SKY
BJD SKY

ସୁସ୍ଥ ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ: ସୋମବାର ଶ୍ରୀମନ୍ଦିରରେ ନବଯୌବନ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେବେ

BJD

ପୁରୀ: ଶ୍ରୀମନ୍ଦିର-ନବଯୌବନ ବେଶ ଦର୍ଶନ ଦୀର୍ଘ ୧୫ ଦିନ ଅଣସର ଘରେ ରହିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଆସନ୍ତା ୧୯ ତାରିଖ ସୋମବାର ଶ୍ରୀମନ୍ଦିରରେ ନବଯୌବନ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଓ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି ନବଯୌବନ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ୧୯ ତାରିଖ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ୧ ଘଣ୍ଟା ଲାଗି ଶ୍ରୀମନ୍ଦିର ପରିମାଣିକ ଦର୍ଶନ ବ୍ୟବସ୍ଥା କରାଯାଇଛି ।

ଏହାପରେ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାୟ ୨ ଘଣ୍ଟା ସର୍ବସାଧାରଣ ଭକ୍ତମାନେ ଦର୍ଶନ କରିବେ । ଭିତର କାଠ ନିକଟରେ ଠିଆ ହୋଇ ଭକ୍ତମାନେ ଏହି ଦର୍ଶନ କରିପାରିବେ । ପରିମାଣିକ ଦର୍ଶନ ଲାଗି ଟିକେଟର ମୂଲ୍ୟ ୧୦୦ ଟଙ୍କା ରଖା ଯାଇଥିବା ବେଳେ ସର୍ବମୋଟ ୭ହଜାର ଟିକେଟ୍‍ କରାଯାଇଛି । ସର୍ବସାଧାରଣଙ୍କ ପାଇଁ ବଡଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତ ନିବାସ ଠାରେ ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା ଓ ବାହୁଡା ଯାତ୍ରା ଲାଗି ଟିକେଟ ବିକ୍ରୟ କରାଯିବ ।

ଏହି ଦର୍ଶନ ସମୟରେ କୌଣସି ଅନଧିକୃତ ବ୍ୟକ୍ତି ଶ୍ରୀଜୀଉଙ୍କ ନିକଟକୁ ଯିବେ ନାହିଁ କିମ୍ବା ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିବେ ନାହିଁ । ନବଯୌବନ ଦର୍ଶନ ମଧ୍ୟାହ୍ନ ୧୧ଟା ଠାରୁ ବନ୍ଦ ରହିବ । ପରିମାଣିକ ଦର୍ଶନ ଓ ସାହାଣମେଳା ଦର୍ଶନ ବ୍ୟତୀତ ଅନ୍ୟ ସମୟରେ ଭକ୍ତମାନେ ବାହାର କାଠ ନିକଟରେ ଠିଆହୋଇ ଦର୍ଶନ କରିପାରିବେ । ତେବେ ଭକ୍ତମାନେ ଦିନ ତମାମ ବେଡା ପରିକ୍ରମା ସହିତ ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା କରାଯାଇଛି । ସେହିଦିନ ରାତି ୯ଟା ଠାରୁ ସେନାପଟା ଲାଗି ନୀତି କରାଯିବା ସହ ରଥଯାତ୍ରା ପହଣ୍ଡି ପାଇଁ ସମସ୍ତ ପ୍ରସ୍ତୁତି କରାଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.