fbpx

ପୂର୍ବତନ ମନ୍ତ୍ରୀ ବସଭରାଜ ପାଟିଲଙ୍କ ଇସ୍ତଫା: ମହାରାଷ୍ଟ୍ରରେ କଂଗ୍ରେସକୁ ପୁଣି ଏକ ବଡ଼ ଝଟକା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତା’ ପୂର୍ବରୁ ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ତେବେ ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ମହାରାଷ୍ଟ୍ର କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା । ପୂର୍ବତନ ମନ୍ତ୍ରୀ ବସଭରାଜ ପାଟିଲ ଦଳରୁ ଇସ୍ତଫା ଦେଇଛନ୍ତି । ସେ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି । ଶ୍ରୀ ପାଟିଲ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିଲେ । ସେ ମରାଠାୱାଡ଼ା ଅଞ୍ଚଳରେ ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ । ୧୯୯୯ ବିଧାନସଭା ନିର୍ବାଚନରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେଣୁ ୧୯୯୯-୨୦୦୪ ପର୍ଯ୍ୟନ୍ତ ସେ ମହାରାଷ୍ଟ୍ରର ଗ୍ରାମୀଣ ବିକାଶ ମନ୍ତ୍ରୀ ରହିଥିଲେ ।

ସୂଚନାଯୋଗ୍ୟ ଯେ, ନିକଟରେ ମହାରାଷ୍ଟ୍ରରେ ବହୁ ବଡ଼ ବଡ଼ ନେତା କଂଗ୍ରେସ ଛାଡ଼ିଛନ୍ତି । ଏହା ପୂର୍ବରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ, ମିଲିନ୍ଦ ଦେୱରା, ବାବା ସିଦ୍ଦିକୀ ହାତ ଛାଡ଼ିଥିଲେ । ଅଶୋକ ବିଜେପିରେ ସାମିଲ ହୋଇଥିବା ବେଳେ ମିଲିନ୍ଦ ଏକନାଥ ଶିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି । ସେହିପରି ବାବା ଅଜିତ ପାୱାରଙ୍କ ଏନସିପିରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.