fbpx

ସ୍ତ୍ରୀକୁ ଜିଅନ୍ତା ଜାଳି ହତ୍ୟା ଅଭିଯୋଗରେ ଶିବସେନା ନେତା ସୁକାନ୍ତ ସାୱନ୍ତ ଗିରଫ, ହତ୍ୟା ପରେ ସମୁଦ୍ରରେ ଭସାଇଥିଲେ ପାଉଁଶ

ମୁମ୍ବାଇ: ପତ୍ନୀଙ୍କୁ ଜୀଅନ୍ତ ଜାଳିଦେବା ଅଭିଯୋଗରେ ମହାରାଷ୍ଟ୍ରରେ ଶିବସେନା ନେତା ସୁକାନ୍ତ ସାୱନ୍ତଙ୍କୁ ଗିରଫ କରାଯାଇଛି। ଅଭିଯୋଗ ହୋଇଛି ଯେ ଶିବସେନା ନେତା ତାଙ୍କ ଦ୍ୱିତୀୟ ପତ୍ନୀ ସ୍ୱପ୍ନାଲି ସାୱନ୍ତଙ୍କୁ ଜୀଅନ୍ତ ଜାଳିବା ପରେ, ପ୍ରମାଣ ନଷ୍ଟ ପାଇଁ ତାଙ୍କ ଅବଶେଷ ଏବଂ ପୋଡ଼ା ପାଉଁଶକୁ ସମୁଦ୍ରରେ ଭସାଇ ଦେଇଥିଲେ। ସୁକାନ୍ତଙ୍କ ବ୍ୟତୀତ ତାଙ୍କର ଦୁଇ ସହଯୋଗୀ ରୂପେଶ ସାୱନ୍ତ ଏବଂ ପ୍ରମୋଦ ଗାୱାନଙ୍ଗଙ୍କୁ ମଧ୍ୟ ଗିରଫ କରାଯାଇଛି। ହତ୍ୟା, ପ୍ରମାଣ ନଷ୍ଟ ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ଏହି ତିନିଜଣଙ୍କୁ ଗିରଫ କରାଯାଇଛି। ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଏହି ତିନି ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ରତ୍ନାଗିରି ଜିଲ୍ଲାର ଶିବସେନାର ନେତା ତଥା ପଞ୍ଚାୟତ ସମିତିର ପୂର୍ବତନ ସଭାପତି ସ୍ୱପ୍ନାଲି ସୁକାନ୍ତ ସାୱନ୍ତଙ୍କ ନିଖୋଜ ନେଇ ତାଙ୍କ ସ୍ୱାମୀ ପୋଲିସ ନିକଟରେ ଅଭିଯୋଗ କରିବା ପରେ, ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଥିଲା | ଏହାପୂର୍ବରୁ ପୋଲିସ ଏହି ମାମଲାରେ ସ୍ୱପ୍ନାଲିଙ୍କ ହତ୍ୟା ହୋଇଥିବା ନେଇ ସନ୍ଦେହ ପ୍ରକଟ କରିଥିଲା। ତେବେ ଘଟଣାରେ ପୋଲିସର ସନ୍ଦେହ ସେତେବେଳେ ବଢିଯାଇଥିଲା ଯେତେବେଳେ ସ୍ୱପ୍ନାଲିଙ୍କ ମା ତାଙ୍କ ଝିଅକୁ ତା ସ୍ୱାମୀ ସୁକାନ୍ତ ସାୱନ୍ତ ପୋଡି ଦେଇ ହତ୍ୟା କରିଥିବା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଘଟଣାରେ ସ୍ୱପ୍ନାଲିଙ୍କ ସ୍ୱାମୀ ସୁକାନ୍ତ ସାୱନ୍ତଙ୍କ ସମେତ ଅନ୍ୟ ଦୁଇଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯାହାପରେ ପୋଲିସ ଘଟଣାରେ ତିନି ଜଣଙ୍କୁ ଅଧିକ ପଚରା ଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା |

  • ପାରିବାରିକ କଳହ ଯୋଗୁଁ ହୋଇଥିଲା ହତ୍ୟା

ପୋଲିସ କହିଛି ଯେ, ପାରିବାରିକ କଳହ ଯୋଗୁଁ ସ୍ୱପ୍ନାଲିଙ୍କୁ ତାଙ୍କ ସ୍ୱାମୀ ଶିବସେନା ନେତା ସୁକାନ୍ତ ସାୱନ୍ତ ହତ୍ୟା କରିଥିଲେ। ଘଟଣାରେ ଏସପି ମୋହିତ କୁମାର ଗର୍ଗ କହିଛନ୍ତି ଯେ, ଗଣେଶ ଚତୁର୍ଥୀ ଦିନ ଏହି ତିନି ଅଭିଯୁକ୍ତ ପେଟ୍ରୋଲ ସ୍ପ୍ରେ କରି ମହିଳାଙ୍କୁ ନିଆଁ ଲଗାଇ ମାରିବା ପରେ ପ୍ରମାଣ ନଷ୍ଟ ପାଇଁ ତାଙ୍କ ଅବଶେଷକୁ ସମୁଦ୍ରରେ ଭସାଇ ଦେଇଥିଲେ। ହତ୍ୟା ପରେ ସୁକାନ୍ତ ନିଜେ ତାଙ୍କ ପତ୍ନୀଙ୍କ ନିଖୋଜ ଖବର ପୋଲିସ ନିକଟରେ ଦାଖଲ କରିଥିଲେ। ଏହା ପରେ ପୋଲିସ ସୁକାନ୍ତ ସାୱନ୍ତଙ୍କୁ ଘଟଣାସ୍ଥଳରେ ମିଳିଥିବା ପ୍ରମାଣ ଆଧାରରେ ଗିରଫ କରିଥିଲା। ପୋଲିସର ପଚରାଉଚରା ବେଳେ ସୁକାନ୍ତ ନିଜ ଅପରାଧ ସ୍ୱୀକାର କରିଛନ୍ତି।

Get real time updates directly on you device, subscribe now.