fbpx

ଟିମ୍ ଇଣ୍ଡିଆ T-20 ବିଶ୍ୱକପରେ ବାରମ୍ବାର ହାରୁଛି ଓ ଆଗକୁ ଜିତିବାର ସମ୍ଭାବନା ମଧ୍ୟ କମ୍: ଜାଣନ୍ତୁ ଏହା ପଛର ୮ଟି ମୁଖ୍ୟ କାରଣ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ଅନ୍ୟତମ ଦାବିଦାର କୁହାଯାଉଥିବା ଭାରତର ବିଶ୍ୱକପ ଅଭିଯାନ ଏକପ୍ରକାର ସରିଯାଇଛି । ପ୍ରଥମ ଦୁଇଟି ମ୍ୟାଚରେ ପାକିସ୍ତାନ ଓ ନ୍ୟଜିଲାଣ୍ଡଠାରୁ ଏକତରଫା ଭାବେ ପରାଜୟ ପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଉଠିଛି ବିଭିନ୍ନ ପ୍ରଶ୍ନ । ଫୁଲ୍ ଫର୍ମରେ ରହିବା ସହ ପାଣିପାଗକୁ ଖାପ ଖୁଆଇବା ପାଇଁ ପୂର୍ବରୁ ସବୁ ପ୍ରକାର ପ୍ରସ୍ତୁତି କରିଥିଲା ଦଳ । ହେଲେ ରାତି ସାରା ପଢ଼ିଲା ପରେ ପରୀକ୍ଷାରେ ଫେଲ୍ ହେବାର କାରଣ କ’ଣ । କାରଣ ହେଉଛି ଅତି ସ୍ପଷ୍ଟ । ଯଦି ଜଣେ ପରୀକ୍ଷାର୍ଥୀ ରାତି ସାରା ପାଠ ପଢ଼ିବେ, ତେବେ ପରୀକ୍ଷାରେ ଲେଖିବା ବେଳକୁ ନିଦ ଲାଗିବା ସ୍ୱାଭାବିକ । ଅନୁରୂପ ଅବସ୍ଥା ହୋଇଛି ଟିମ୍ ଇଣ୍ଡିଆର ।

୧- ଭାରତୀୟ ଦଳର ଅଧିକାଂଶ ଖେଳାଳି ଇଣ୍ଡିଆନ୍ ପ୍ରିମିୟର ଲିଗରେ ଭାଗ ନେଉଛନ୍ତି । ନିକଟରେ କିଛି ଖେଳାଳି ଇଂଲଣ୍ଡ ଗସ୍ତରେ ଓ ଆଉ କିଛି ଶ୍ରୀଲଙ୍କା ସହିତ ଖେଳିବାକୁ ଯାଇଥିଲେ । ଆଇପିଏଲ ଟୁର୍ଣ୍ଣାମେଣ୍ଟ ସରୁସରୁ ବିଶ୍ୱକପରେ ଭାଗନେବା ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବା ଅବଶ୍ୟମ୍ଭାବୀ ।

୨- ଟି-୨୦ ବିଶ୍ୱକପ୍ ପୂର୍ବରୁ ଦଳର ସାରଥୀ ବିରାଟ ନିଜ ପଦ ଛାଡ଼ିବାର ଘୋଷଣା କରିଥିଲେ । ଏହା ଥିଲା ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ, ତେଣୁ ଏହା ନିଶ୍ଚିତ ଭାବେ ଜଣଙ୍କର ମନୋବଳକୁ ଦୁର୍ବଳ କରିବ ।

୩- ଆଇପିଏଲ ଓ ବିଶ୍ୱକପ୍ ମଧ୍ୟଭାଗରେ ଦଳର କୋଚ ରବି ଶାସ୍ତ୍ରୀଙ୍କ ବିଦାୟ ନେବା ମଧ୍ୟ ସ୍ଥିର ହୋଇଯାଇଥିଲା । ବିରାଟ ଓ ଶାସ୍ତ୍ରୀ ଦୁହେଁ ଦୀର୍ଘ ସମୟ ଧରି ଦଳକୁ ସମ୍ଭାଳିଥିଲେ । ଏକ ସମୟରେ ଦୁହେଁ ଦଳ ଛାଡ଼ିବା ଦଳ ପାଇଁ ଆଦୌ ଠିକ୍ ନୁହେଁ ।

୪- ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇସାରିଥିବା ମହେନ୍ଦ୍ର ସିଂହ ଧୋନୀ ହଠାତ୍ ମେଣ୍ଟର ଭାବେ ଆବିର୍ଭାବ ହୋଇଥିଲେ । ଧୋନିଙ୍କ ଆଗମନ କୋହଲିଙ୍କ ଅଧିନାୟକତ୍ୱ ଉପରେ ବିଭିନ୍ନ ପ୍ରଶ୍ନ ଛିଡ଼ା କରିଥିଲା ।

୫- ଟିମ୍ ଚୟନ ସମୟରେ ୟୁଜବେନ୍ଦ୍ର ଚହଲଙ୍କ ବାଦ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଆଗମନ ପ୍ରଶ୍ନ ସୃଷ୍ଟି କରିଥିଲା । ରୋହିତ ଶର୍ମା ଓ ଧୋନୀଙ୍କ ଛାପ ଦଳରେ ରହିଥିବା ବେଳେ କୋହଲିଙ୍କୁ ଅଣଦେଖା କରାଯାଇଥିବା ଚିତ୍ର ଜଣାପଡ଼ୁଛି ।

୬- ଗୋଟିଏ ପଟେ ଦଳ ବିଶ୍ୱକପ୍ ମିଶନରେ ରହିଥିବା ବେଳେ ଅନ୍ୟପଟେ ବିସିସିଆଇ ନୂଆ କୋଚ, କୋଚିଂ ଷ୍ଟାଫ୍ ଖୋଜିବାରେ ବ୍ୟସ୍ତ ଥିଲା । ଏହି ମାହୋଲ ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ ସୃଷ୍ଟି କରୁଛି ।

୭- ଆଇପିଏଲ ପରେ ଖେଳାଳିମାନେ ଥକ୍କା ହୋଇଯାଇଥିବାରୁ ପାରମ୍ପରିକ ପାକିସ୍ତାନ ଟିମର ଶକ୍ତିକୁ ବୁଝିବାରେ ଅକ୍ଷମ ହୋଇଥିଲେ । ଫଳରେ ପଦାର୍ପଣ ମ୍ୟାଚରେ ୧୦ ୱିକେଟରେ ପରାଜୟ ଦଳର ମନୋବଳକୁ ଭାଙ୍ଗି ଦେଇଥିଲା ।

୮- ଟି-୨୦ ବିଶ୍ୱକପ ପୂର୍ବରୁ ଅଲରାଉଣ୍ଡର ହାର୍ଦ୍ଦିକଙ୍କୁ ମ୍ୟାଚ ୱିନର ବୋଲି ଗ୍ରହଣ କରାଯାଉଥିଲା । ମାତ୍ର ବିଶ୍ୱକପରେ ସେ ବୋଲିଂ ନ କରିବା ଫଳରେ ଏକ୍ସଟ୍ରା ବୋଲର ଅଭାବ ପରିଲକ୍ଷିତ ହୋଇ ଏହା ଫଳାଫଳକୁ ପ୍ରଭାବିତ କରିଥିଲା ।

Get real time updates directly on you device, subscribe now.