fbpx

ସେନାରେ ସାମିଲ୍‌ ହେଲେ ପୁଲୱାମା ଶହୀଦଙ୍କ ପତ୍ନୀ, ସ୍ୱାମୀଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମୟରେ ଆତଙ୍କବାଦୀଙ୍କ ସହ ଲଢ଼ି ବୀରଗତି ପ୍ରାପ୍ତ ହୋଇଥିଲେ ମେଜର ବିଭୂତି ଶଙ୍କର ଧୌଣ୍ଡିଆଲ । ତାଙ୍କ ମର ଶରୀର ପାଖରେ ସେତେବେଳେ ଅଶ୍ରୁ ଗଡ଼ାଇ ସାଲ୍ୟୁଟ ମାରି ଚର୍ଚ୍ଚାକୁ ଆସିଥିଲେ ତାଙ୍କ ପତ୍ନୀ ନିତିକା କୌଲ । ନିତିକା ଏବେ ଭାରତୀୟ ସେନାରେ ସାମିଲ୍‌ ହୋଇଛନ୍ତି । ଫଳରେ ସେ ଏବେ ଲେଫ୍ଟନେଣ୍ଟ ନିତିକା କୌଲ ଧୌଣ୍ଡିଆଲ୍‌ ହୋଇଛନ୍ତି । ଶନିବାର ସେନାର ପୋଷାକ ପିନ୍ଧିବା ପରେ ସର୍ବ୍ରଥମେ ସେ ତାଙ୍କ ସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ଶନିବାର ଅଫିସର୍‌ ଟ୍ରେନିଂ ଏକାଡେମୀର ଏକ ପାସିଂ ଆଉଟ୍‌ ପ୍ୟାରେଡ୍‌ ହୋଇଥିଲା । ଏହି ଅବସରରେ ଅନେକ କ୍ୟାଡେଟ୍‌ ଭାରତୀୟ ସେନାର ୟୁନିଫର୍ମ ପିନ୍ଧି ଦେଶର ସେବା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ସମସ୍ତ ନଜର ଥିଲା ଲେଫ୍ଟନାଣ୍ଟ ନିତିକାଙ୍କ ଉପରେ । ନିତିକା ମଧ୍ୟ ସମାନ ୟୁନିଫର୍ମ ପିନ୍ଧିଥିଲେ ଯାହା ପୂର୍ବରୁ ତାଙ୍କ ଶହୀଦ ସ୍ୱାମୀ ମେଜର ବିଭୁତି ଶଙ୍କର ଧୌଣ୍ଡିଆଲ ପିନ୍ଧିଥିଲେ । ମେଜର ବିଭୂତି ଶଙ୍କର ଧୌଣ୍ଡିଆଲ ଶହୀଦ ହେବା ପରେ ଯେତେବେଳେ ତାଙ୍କ ମର ଶରୀର ବାସଭବନରେ ପହଞ୍ଚିବା ପରେ ପତ୍ନୀ ନିତିକା ପାଖରେ ଛିଡ଼ା ହୋଇ କାନ୍ଦି କାନ୍ଦି ସାଲ୍ୟୁଟ ମାରିଥିଲେ ।

ସେ କହିଥିଲେ ‘ତୁମେ ମୋତେ ମିଛ କହିଛ ଯେ ତୁମେ ମୋତେ ଅଧିକ ଭଲ ପାଅ । କିନ୍ତୁ ତୁମେ ତମ ଦେଶକୁ ଅଧିକ ଭଲ ପାଉଥିଲ… କେବଳ ତୁମେ ନୁହେଁ ମୁଁ ମଧ୍ୟ ଏଥିାଇଁ ଗର୍ବିତ’ । ଗଣମାଧ୍ୟମରେ ଏହାକୁ ନେଇ ସେତେବେଳେ ଖୁବ ଚର୍ଚ୍ଚା ହୋଇଥିଲା । ଏହାପରେ ନିତିକା ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ ସେ
ଜଣେ ଗରିବ ବ୍ୟକ୍ତି ନୁହଁନ୍ତି ବରଂ ଜଣେ ସାହସୀ ଶହୀଦଙ୍କ ପତ୍ନୀ ଏବଂ ସେ ତାଙ୍କ ସ୍ୱାମୀଙ୍କ ଶହୀଦ ପାଇଁ ଗର୍ବିତ । ମେଜର ବିଭୂତିଙ୍କୁ ଯେତେବେଳେ ଶେଷ ସମ୍ମାନ ସହ ଶେଷ କୃତ୍ୟ ପାଇଁ ନିଆଯାଉଥିଲା ସେତେବେଳେ ନିତିକା ତାଙ୍କ ସ୍ୱାମୀଙ୍କୁ ‘ଜୟ ହିନ୍ଦ୍‌’ କହି ଶେଷ ବିଦାୟ ଦେଇଥିଲେ । ସେବେଠାରୁ ସେ ସ୍ୱାମୀଙ୍କ ପରି ହେବେ ବୋଲି ପ୍ରତିଜ୍ଞା କରିଥିଲେ । ମାତ୍ର ୧୦ ମାସର ବୈବାହିକ ଜୀବନ କାଟିଥିବା ନିତିକା ଏହାପରେ ଏସ୍‌ଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ତାଙ୍କୁ ସେନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ମଧ୍ୟ ସେନା ଅଧିକାରୀଙ୍କ ପରି ୟୁନିଫର୍ମ ପିନ୍ଧି ଶତ୍ରୁମାନଙ୍କ ବିରୁଦ୍ଧରେ ଲଢ଼େଇ କରିବାକୁ ପ୍ରସ୍ତୁତ । ସେନାରେ ସାମିଲ୍‌ ହେବା ପୂର୍ବରୁ ନିତିକା ଏଚ୍‌ସିଏଲ କମ୍ପାନୀରେ ଚାକିରି କରିଥିଲେ । ସ୍ୱାମୀ ଶହୀଦ ହେବା ପରେ ସେ ଚାକିରି ଛାଡ଼ି ଦେଇଥିଲେ । କିଛି ସେନା ଅଧିକାରୀ ତାଙ୍କୁ ପରୀକ୍ଷା ପାଇଁ ମାର୍ଗଦର୍ଶକ ସାଜିଥିଲେ । ଏହାପରେ ୨୦୧୯ରେ ସେ ଏସ୍‌ଏସ୍‌ସି ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ ।

Get real time updates directly on you device, subscribe now.