fbpx

ସ୍ୱାଭିମାନ ଅଞ୍ଚଳ ଆଜି ବି ଅନ୍ଧାରରେ, ସନ୍ଧ୍ୟା ହେଲେ ଡିବିରି ଆଲୁଅ ଭରସା, ବିଜୁଳି ପାଲଟିଛି ଦକ୍ଷତା ବିକାଶରେ କଣ୍ଟା

ମାଲକାନଗିରି, (ଭାସ୍କର ନ୍ୟୁଜ୍‌): ଗୁରୁପ୍ରିୟା ସେତୁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ଜୀବନଧାରଣ ମାନରେ ଅନେକ ଉନ୍ନତି ଆଣିଛି । ଏହାକୁ ଅସ୍ୱୀକାର କରାଯାଇ ନପାରେ । ମାତ୍ର ସ୍ୱାଭିମାନ ଅଞ୍ଚଳବାସୀ ସଡ଼କର ସଂଯୋଗ ସିନା ପାଇଲେ । କିନ୍ତୁ ଏକ ମୌଳିକ ଆବଶ୍ୟକତା ବିଜୁଳି ସଂଯୋଗର ଅଭାବ ରହିଲା । ଗୋଟିଏ କି ଦୁଇଟି ନୁହେଁ । ୧୫୦ ଟି ଗାଁ ଏବେ ଅନ୍ଧାରରେ ରହିଛି । ଅସହ୍ୟ ତାତିରେ ସାରା ଓଡ଼ିଶା ସନ୍ତୁଳିତ ହେଉଥିବା ବେଳେ ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ବିଜୁଳି ସଙ୍କଟ ପ୍ରଚାର ସର୍ବସ୍ୱ ସରକାରୀ ଉଦାସୀନତାକୁ ପଦାରେ ପକାଇଛି । ବିଜୁଳି ନଥିବାରୁ ବିକାଶ ରଥର ଚକ ଏବେ ଅଚଳ । ପାନୀୟ ଜଳ ପ୍ରକଳ୍ପ ହୋଇଛି, ଅଥଚ କାମ କରୁନି । ଚାଷୀଟି ମୋଟର ପମ୍ପ ବ୍ୟବହାର କରି ନପାରି ଡିଜେଲ ପମ୍ପ ଭଡାରେ ଆଣି ଖର୍ଚ୍ଚାନ୍ତ ହେଉଛି ।

ଯୁବଗୋଷ୍ଠୀଙ୍କ ପାଇଁ ବିଜୁଳି ପାଲଟିଛି ଦକ୍ଷତା ବିକାଶରେ କଣ୍ଟା । ଆଧୁନିକ ଜ୍ଞାନକୌଶଳ ଆହରଣ ଓ ଦକ୍ଷତା ବିକାଶ ପାଇଁ ଆସିଥିବା କମ୍ପ୍ୟୁଟର ବିଜୁଳି ଅଭାବରୁ ଅକାମୀ । ବିଜୁଳି ଭଳି ଏକ ଅତ୍ୟାବଶ୍ୟକ ସେବା ଯୋଗାଇବାରେ ସରକାର ସ୍ୱାଭିମାନ ଅଞ୍ଚଳରେ ବିଫଳ ହୋଇଛନ୍ତି । କାରଣ ୧୦ ବର୍ଷ ତଳେ ଯେଉଁ ବିଜୁଳି ସମସ୍ୟାର ସମାଧାନ ଲାଗି ପୂର୍ବତନ ଜିଲ୍ଲାପାଳ ଆର୍‌ ଭିନିଲକ୍ରିଷ୍ଣାଙ୍କୁ ମାଓବାଦୀ ଅପହରଣ କରିଥିଲେ । ଏବେ  ମାଓବାଦୀଙ୍କ ପ୍ରଭାବହୀନ ସତ୍ତେ୍ୱ ମଧ୍ୟ ଏଠାରେ ବିଜୁଳିର ଭିତ୍ତିଭୂମି ବିକାଶ ହୋଇପାରିନି । ଦୁର୍ଭାଗ୍ୟ ଏହି ଯେ, ଆଜି ବି ଏହି ଅଞ୍ଚଳର ୯ ପଞ୍ଚାୟତ ଜଡାମ, ଜାନବାଇ, ପାପରମେଟଲା, ରାଲେଗେଡ଼ା, ଯନ୍ତ୍ରୀ, ଅଣ୍ଡାପାଲ୍ଲୀ, ପଣସପୁଟ, ବଡପଡ଼ା, ବଡପଦର ଅଞ୍ଚଳରେ ବିକାଶର ଗାଡି ଆଗେଇ ପାରୁନାହିଁ । ଲୋ ଭୋଲଟେଜ ଓ ବିଜୁଳି ସମସ୍ୟା ଯୋଗୁଁ ୧୫୦ ଗାଁର ଆଦିବାସୀ ଅନ୍ଧାରରେ ଜୀବନ ବିତାଉଛନ୍ତି । ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଓ ଗ୍ରୀଷ୍ମର ପ୍ରକୋପରେ ସିଝୁଛନ୍ତି ଆଦିବାସୀ । ବିଜୁଳିର ସ୍ଥାୟୀ ସମାଧାନ ନେଇ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନି । ସେଠାରେ ପାୱାର ଗ୍ରୀଡ୍‌ ନିର୍ମାଣ କାର୍ଯ୍ୟ ହୋଇ ପାରିନାହିଁ ଉଠା ଜଳସେଚନ ପ୍ରକଳ୍ପ କିମ୍ବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିଲେ ହେଁ କାର୍ଯ୍ୟକାରୀ ହୋଇପାରିନାହିଁ । ଦକ୍ଷତା ଓ କୌଶଳ ଥାଇ ମଧ୍ୟ ହାତ ବାନ୍ଧି ବସିଛନ୍ତି ଲୋକୋ । କମ୍ପୁଟର ଗୁଡିକ କାର୍ଯ୍ୟ ହେଉ ନ ଥିବା ବେଳେ ୱେଲଡିଂ କାମ ଜାଣି ମଧ୍ୟ ବିଦ୍ୟୁତ ନ ଥିବାରୁ କାର୍ଯ୍ୟ ହୋଇ ପାରୁନାହିଁ । ସନ୍ଧ୍ୟା ହେଲେ ଡିବିରି ଆଲୁଅ ଭଳି ବଲବ୍‌ ଗୁଡିକ ଜଳୁଛି । ଖରା, ବର୍ଷା ହେଲେ ଦୁଇଦିନ ଧରି ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇପଡୁଛି ।

ବହୁ କୋଟି ଟଙ୍କା ବ୍ୟୟରେ ସ୍ବାଭିମାନ ଅଞ୍ଚଳ ବଡପଡ଼ାଠାରେ ଏକ ଗ୍ରୀଡ୍‌ ସବଷ୍ଟେସନ ନିର୍ମାଣ ହୋଇଥିଲା । ୩୩ କେଭି ବିଦ୍ୟୁତ ସଂଯୋଗ କରାଯାଇ ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ କାରଣ ଗୁର୍ରୁିୟା ସେତୁ ମଧ୍ୟ ଦେଇ ଉକ୍ତ ବିଦ୍ୟୁତ ତା’ର ଗଲେ ଦୁର୍ଘଟଣା ଆଶଙ୍କା ଥିବାରୁ ତାର ସଂଯୋଗ କରାଯାଇପାରୁ ନାହିଁ ଅସୁବିଧା ହେଉଛି । ବିଭାଗ ପକ୍ଷରୁ ବୈଷୟିକ ସମସ୍ୟା ରହିଥିବା ବେଳେ ଅଦ୍ୟାବଧୂ ପୂର୍ତ୍ତ ବିଭାଗ ପକ୍ଷରୁ ପୋଲ ଉପରୁ ତାର ନେବା ପାଇଁ ଅନୁମତି ଦିଆଯାଇ ନ ଥିଲା । ଦୁଇବର୍ଷ ବିତି ଯାଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ନ ଥିବା ବେଳେ ଓପିଡିସିଏଲ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଟେଣ୍ଡର ପ୍ରକ୍ରିୟା ସରିଛି । ସ୍ୱତନ୍ତ୍ର କେବୁଲ ଯୋଗେ ୩୩ କେଭି ତାର ପୋଲ ପାର୍ଶ୍ୱ ଦେଇ ନିଆଯିବା ପାଇଁ ବ୍ୟବସ୍ଥା କରାଯିବ ।

ଆଗାମୀ ୩ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି । ନିକଟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଥିଲେ । ସେତେବେଳେ ମଧ୍ୟ ସ୍ଥାନୀୟ ଅଧିବାସୀ ଏହି ପୁରୁଣା ବିଦ୍ୟୁତ୍‌ ସମସ୍ୟା ସମ୍ପର୍କରେ ତାଙ୍କୁ ଜଣାଇଥିଲେ । ଏହା ସତ୍ତେ୍ୱ କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇ ନ ଥିବା ଜଣାପଡ଼ିଛି । ବିଦ୍ୟୁତ୍‌ ନ ଥିବାରୁ ସାଧାରଣ ଚାଷୀ ମୋଟର ପମ୍ପ ବ୍ୟବହାର କରି ନ ପାରି ଭଡ଼ା ସୂତ୍ରରେ ଜେନରେଟର ଆଣୁଛନ୍ତି । ଡିଜେଲ, ଜଳସେଚନ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ଦୁଇଟି ପାନୀୟ ଜଳ ସେଚନ ପ୍ରକଳ୍ପ ଆରମ୍ଭ ହୋଇପାରୁ ନାହିଁ ପାଇପ୍‌ ଯୋଗେ ପିଇବା ପାଇଁ ଆଦିବାସୀ ଅଞ୍ଚଳକୁ ସ୍ୱପ୍ନ ପାଲଟିଛି । ସବୁଠାରୁ ଦୁର୍ଭାଗ୍ୟ ବିଷୟ ସରକାର ଉକ୍ତ ଅଞ୍ଚଳରେ ବିକାଶର ଧାରା ଆରମ୍ଭ କରି ବିଦ୍ୟାଳୟ, ଡାକ୍ତରଖାନା, ଟାୱର, ରାସ୍ତାଘାଟ ଭିତ୍ତ୍ରିସ୍ତର ସ୍ଥାପନ କରିଥିଲେ ସୁଦ୍ଧା କେବଳ ତାହା ଭିତ୍ତିପ୍ରୟସ୍ତରରେ ସୀମିତ ରହିଛି । ବିଜୁଳି କ୍ଷେତ୍ରରେ ୧୦ ବର୍ଷ ପୂର୍ବ ସ୍ଥିତି ଆଜି ବି ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ସେମିତି ରହିଛି ।

Get real time updates directly on you device, subscribe now.