ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାର ରେଳ ଲାଇନ ସମୀକ୍ଷା କରିବା ପାଇଁ ବିଶାଖାପାଟଣା ଡିଭିଜନ ର ରେଳ ମ୍ୟାନେଜର ମାଲକାନଗିରି ଗସ୍ତ କରିଛନ୍ତି । ସର୍କିଟ ହାଉସ ଠାରେ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ , ରାଜସ୍ୱ ବିଭାଗର ପଦାଧିକାରୀଙ୍କ ସହ ରେଳ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।
ମାଲକାନଗିରି ଜିଲ୍ଲା ପୋଗ୍ରେସିଭି ସିଟିଜେନ ଫୋରମ ତରଫରୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଦାବିପତ୍ର ରେ ମାଲକାନଗିରି ଜିଲ୍ଲାରେ ଅନେକ ପ୍ରସ୍ତାବିତ ଖଣି ଥିଲେ ମଧ୍ୟ ମାଲ ପରିବହନ ପାଇଁ ରେଳ ଲାଇନ ନଥିବାରୁ ଜିଲ୍ଲାର ବିକାଶ ହୋଇପାରୁନାହିଁ । ଭାରତ ସରକାରଙ୍କ ଆକାଂକ୍ଷା ଯୋଜନାରେ ମାଲକାନଗିରି ର ବିକାଶ ପାଇଁ ରେଳ ଲାଇନର ଜରୁରୀ ଆବଶ୍ୟକତା ରହିଛି । ତେଣୁ ତୁରନ୍ତ ରେଳ ଲାଇନ କାର୍ୟ୍ୟ ତ୍ୱରାନ୍ୱିତ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ।
ବିଶାଖାପାଟଣା ରେଳ ମ୍ୟାନେଜର ଅନୁପ କୁମାର ସେଥିପତି ପ୍ରକାଶ କରିଥିଲେକି ଯେ ଜୟପୁର ଠାରୁ ମାଲକାନଗିରି ୧୩୦ କିଲୋମିଟର ରେଳ ଲାଇନ ର ୨୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇ ସାରିଛି ଆଗାମୀ ଛମାସ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ କରିବା ପାଇଁ ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ହୋଇଛି ।
ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବା ପରେ ଅଗ୍ରାଧିକାର ଭିତ୍ତିରେ ବଜେଟର ବରାଦ କରାଯାଇଥିବା ଅର୍ଥ ଅନୁଯାୟୀ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ମାଲକାନଗିରି ବାସୀ ରେଳ ଗାଡି ଦେଖିପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ନାଗରିକ ସୁରକ୍ଷା ମଞ୍ଚ ତରଫରୁ ଦୁର୍ଯ୍ୟୋଧନ ପତ୍ର, ରାମ ପ୍ରସାଦ ପଟ୍ଟନାୟକ , ଦିଲୀପ ପରିଛା , ଦୁର୍ଗା ତ୍ରିପାଠୀ , ଲମ୍ବୋଦର ତୁରୁକ , ନୃସିଂହନ ମହାନ୍ତି , ପରେସ ଚନ୍ଦ୍ର ମହାନ୍ତି , ଦେବବ୍ରତ ସାନ ,ଜିତେନ୍ଦ୍ର ବେଉରିଆ ଙ୍କ ସହ ୩୦ ରୁ ଉର୍ଦ୍ଧ ନାଗରିକ ଉପସ୍ଥିତ ଥିଲେ ।