fbpx

ମୃତାହତଙ୍କ ପରିବାରକୁ ୨୦୦୦ ଟଙ୍କିଆ ନୋଟ୍ ବାଣ୍ଟୁଛନ୍ତି ମମତା ବାନାର୍ଜୀ

ବାଲେଶ୍ୱର: ବାହାନଗା ଦୁର୍ଘଟଣାରେ ପୀଡିତଙ୍କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁର୍ଘଟଣା ଘଟିବା ଦିନରୁ ଆଜି ମଧ୍ୟରେ ଦୁଇ ଥର ଓଡିଶା ଆସି ଦୁର୍ଘଟଣାସ୍ଥଳ ମଧ୍ୟ ପରିଦର୍ଶନ କରିଛନ୍ତି । ଗତକାଲି ସେ ପୀଡିତମାନଙ୍କୁ କଟକ ଏସସିବି ମେଡିକାଲରେ ଭେଟିବା ସହ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି । ଏହାସହ ସେ କୋଲକାତାରେ ମଧ୍ୟ ପୀଡିତଙ୍କ ପରିବାରକୁ ସେ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ବଣ୍ଟନ କରିଛନ୍ତି । କିନ୍ତୁ ତାଙ୍କର ଏହି ସହାୟତା ରାଶିକୁ ନେଇ ଏବେ ସୃଷ୍ଟି ହୋଇଛି ବିବାଦ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ଆସି କରମଣ୍ଡଳ ଦୁର୍ଘଟଣାରେ ପୀଡିତଙ୍କ ପରିବାରକୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି । ଏଥିପାଇଁ ସମସ୍ତ ଲୋକ ତାଙ୍କ ପ୍ରଶଂସା କରୁଥିଲେ । କିନ୍ତୁ ଏହାର ପରବର୍ତ୍ତୀ ମୁହୂର୍ତ୍ତରେ ହିଁ ତାଙ୍କର ଏହି ଧବଳ ପ୍ରତିଛବି ମଳିନ ପଡି ଯାଇଛି । ପୀଡିତଙ୍କ ପରିବାରକୁ ସେ ଦେଇଥିବା ସହାୟତା ପାଇଁ ସେ ଏବେ ସମାଲୋଚନାର ଶିକାର ହୋଇଛନ୍ତି । କୋଲକାତାର ବାସିନ୍ଦାମାନଙ୍କୁ ସେ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । କିନ୍ତୁ ଏହି ଟଙ୍କା ବିଡା ଭିତରେ ରହିଛି ଅନେକ ୨୦୦୦ ଟଙ୍କିଆ ନୋଟ୍ । ଏହି ଘଟଣା ପରେ ପୀଡିତଙ୍କ ପରିବାର ସହ ମମତା ରାଜନୀତି କରୁଥିବା ନେଇ ଜୋର ଧରିଛି ଆଲୋଚନା । ୨୦୦୦ ଟଙ୍କିଆ ନୋଟକୁ କେନ୍ଦ୍ର ସରକାର ଅଚଳ ବୋଲି ଘୋଷଣା କରି ସାରିବା ପରେ ପୀଡିତଙ୍କ ପରିବାରକୁ ସେହି ନୋଟରେ ସହାୟତା ଦେବା ଘଟଣା ମମତାଙ୍କର ଆଉ ଏକ ରାଜନୀତି ବୋଲି କଥା ଉଠିଛି ।

ତେବେ ଏତେ ବଡ ଏକ ଅସୁବିଧାର ସମ୍ମୁଖୀନ ହୋଇଥିବା ପରିବାରକୁ ମମତା କେଉଁ ଉଦ୍ଦେଶ୍ୟରେ ଏହି ଟଙ୍କା ବାଣ୍ଟିଛନ୍ତି ବୋଲି ପ୍ରଶ୍ନ କରାଯାଉଛି । ପ୍ରକୃତରେ ଏହା ପୀଡିତଙ୍କ ପରିବାର ପ୍ରତି ସହାୟତା ନା ରାଜନୀତି ପଶାପାଲିର ଏକ ଚାଲ୍? ଲୋକେ ପ୍ରଶ୍ନ କରୁଛନ୍ତି, ମମତା ଦେଇଥିବା ଏହି ସହାୟତାକୁ ସେମାନେ କରିବେ କ’ଣ? ଗୋଟିଏ ପଟେ ସମସ୍ତଙ୍କ ପ୍ରଶଂସାର ପାତ୍ର ହେଉଥିବା ସମୟରେ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଲୋକଙ୍କ ସମାଲୋଚନାର ଶିକାର ପାଲଟି ଯାଇଛନ୍ତି ।

Get real time updates directly on you device, subscribe now.