fbpx

ଦିଦିଙ୍କୁ ଘାରିଲାଣି ମୁଖ୍ୟମନ୍ତ୍ରୀ ପଦ ହରାଇବାର ଭୟ, ବିଧାନ ପରିଷଦ ଗଠନ ହିଁ ଏକମାତ୍ର ବାଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ବିଧାନ ପରିଷଦ ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତୀ ମମତା ବାନାର୍ଜୀ । ସେଥିପାଇଁ ସମ୍ବିଧାନର ଧାରା ଅନୁଯାୟୀ ପଶ୍ଚିମବଙ୍ଗରେ ଏକ ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଯାଇଛି । ତେବେ ଏନେଇ ଭୋଟିଂ ବେଳେ ବିଧାନସଭା ଗୃହରେ ୨୬୫ ଜଣ ସଦସ୍ୟ ଉପସ୍ଥିତ ଥିବାବେଳେ ୧୯୬ ଜଣ ସଦସ୍ୟ ବିଧାନ ପରିଷଦ ସପକ୍ଷରେ ଓ ୬୯ ଜଣ ବିପକ୍ଷରେ ଭୋଟ ଦେଇଥିଲେ । ପଶ୍ଚିମବଙ୍ଗର ବିଧାନସଭାର ଆସନ ସଂଖ୍ୟା ୨୯୪ ହୋଇଥିବା ବେଳେ ବିଧାନ ପରିଷଦ ଗଠନ ହେଲେ ମୋଟ ସିଟର ଏକତୃତୀୟାଂଶ ଅର୍ଥାତ ୯୮ଟି ସିଟ୍ ରହିବ ବୋଲି ଜଣାପଡ଼ିଛି । ତେବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଂସଦର ଉଭୟ ଗୃହରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ଦରକାର । କେନ୍ଦ୍ରରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସଂଖ୍ୟାଗରିଷ୍ଠତା ରହିଥିବାରୁ ଏହି ପ୍ରସ୍ତାବ ପାସ୍ କରାଇବା କଷ୍ଟକର ହେବ ବୋଲି ଅନୁମାନ କରାଯାଉଛି ।

ପଶ୍ଚିମବଙ୍ଗରେ ଦିଦି ବିଧାନସଭା ପରିଷଦ ଗଠନ ପାଇଁ ଆଗ୍ରହୀ ହେବା ପଛରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି । ଦୁଇମାସ ପୂର୍ବରୁ ଅନୁଷ୍ଠିତ ହୋଇଯାଇଥିବା ପଶ୍ଚିମବଙ୍ଗ ନିର୍ବାଚନରେ ଦିଦି ବନାମ ମୋଦି ଫାଇଟ୍ ବିଷୟରେ ସମସ୍ତେ ଜାଣିଥିବେ । ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂଙ୍କୁ ହଟାଇବା ପରେ ବିଜେପିର ପରବର୍ତ୍ତୀ ନିଶାଣରେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଗତ ବିଧାନସଭାରେ ନିର୍ବାଚନରେ ନିଜର ପୂର୍ବତନ ସହଯୋଗୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିଲେ । ମମତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥର ନେବାର ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିବାକୁ ପଡ଼ିବ, ନଚେତ୍ ସେ ନିଜର ପଦ ହରାଇବେ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଇତିମଧ୍ୟରେ ୨ ମାସ ବିତିଯାଇଥିବା ବେଳେ ଆଉ ବାକି ଅଛି ମାତ୍ର ୪ ମାସ ସମୟ । ଗତ ମେ ମାସ ୫ ତାରିଖରେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଯଦି ଉତ୍ତରାଖଣ୍ଡରେ କରୋନାରେ ନିର୍ବାଚନ ହେଲା ନାହିଁ, ତେବେ ପଶ୍ଚିମବଙ୍ଗରେ ମଧ୍ୟ ହେବ ନାହିଁ । ଫଳରେ ବାଧ୍ୟହୋଇ ମମତା ଇସ୍ତଫା ଦେଇ ଆଉ ଜଣେ ତାଙ୍କର ସହଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ବାଧ୍ୟ ହେବେ । ଏହା ବିଜେପିର ସୁଚତୁର ଗୋଟିଚାଳନା ବୋଲି ରାଜନୀତି ବିଶାରଦମାନେ ଅନୁମାନ କରୁଛନ୍ତି ।

ଭାରତୀୟ ସମ୍ବିଧାନର ନିୟମ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରନ୍ତି, ତେବେ ତାଙ୍କୁ ୬ ମାସ ମଧ୍ୟରେ ରାଜ୍ୟର ଯେକୌଣସି ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ନିର୍ବାଚିତ ହୋଇ ବିଧାନସଭାକୁ ଆସିବାକୁ ପଡ଼ିବ । କରୋନା ହେଉ ବା ନିର୍ବାଚନ ଆୟୋଗଙ୍କ ତ୍ରୁଟି ପାଇଁ ହେଉ, ଉତ୍ତରାଖଣ୍ଡରେ ନିର୍ବାଚନ ହୋଇ ନପାରିବାରୁ ଅନ୍ୟ ପନ୍ଥା ନପାଇ ତୀରଥ ସିଂ ନିଜ ପଦରୁ ଇସ୍ତଫା ଦେଇଥିଲେ । ପୂର୍ବରୁ କରୋନାରେ ୪ଟି ରାଜ୍ୟ ସହ ୧ଟି କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ କରାଇ ନିର୍ବାଚନ କମିଶନ ଓ କେନ୍ଦ୍ର ସରକାର ତୀବ୍ର ସମାଲୋଚନାର ଶିକାର ହୋଇଥିଲେ । ବର୍ତ୍ତମାନ ଦେଶରେ କରୋନା ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇ ନାହିଁ । ତେଣୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗରେ ପୁଣି ନିର୍ବାଚନ ଆୟୋଜନ ପାଇଁ ଅନୁମତି ଦେଇନପାରନ୍ତି । ଫଳରେ ଦିଦିଙ୍କ ୬ ମାସର ଅବଧି ପୂର୍ଣ୍ଣ ହୋଇଯିବ ଓ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହେବେ । ତେବେ ଏହା ମଧ୍ୟରେ ବିଧାନ ପରିଷଦ ହିଁ ଦିଦିଙ୍କ ପାଇଁ ଏକମାତ୍ର ଭରସା । ତେଣୁ ଆଗାମୀ ଦିନରେ ଜଣାପଡ଼ିବ ମମତା ପଶ୍ଚିବଙ୍ଗରେ ବିଧାନ ପରିଷଦ ଗଠନ କରିବାରେ ସଫଳ ହେଉଛନ୍ତି କି ନାହିଁ ।

Get real time updates directly on you device, subscribe now.