କୋଲକାତା,୫ ।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମମତା ବାନାର୍ଜୀ । କରୋନା ମୁକାବିଲା ପାଇଁ ରାଜ୍ୟରେ ଆଂଶିକ ଲକ୍-ଡାଉନ ଘୋଷଣା କରିଛନ୍ତି ମମତା । ଆଂଶିକ ଲକଡାଉନ୍ ମୁତାବକ, ଦିନକୁ ୫ ଘଣ୍ଟା ପାଇଁ ଖୋଲିବ ଦୋକାନ ବଜାର । ସକାଳ ୭ରୁ ୧୦ ଓ ସଂଧ୍ୟା ୫ରୁ ୭ଟା ଯାଏ ଖୋଲିବ ଦୋକାନ ।
ଏହା ସହ ଲୋକାଲ ଟ୍ରେନ୍ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ଘୋଷଣା ହୋଇଛି । କ୍ଷମତାର ୫୦% ଯାତ୍ରୀଙ୍କୁ ନେଇ ମେଟ୍ରୋ ଓ ସରକାରୀ ବସ୍ ଚାଲିବ । ୫୦% କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ୍ ଚାଲିବ । ମାର୍କେଟ କଂପ୍ଲେକ୍ସ, ସିନେମା ହଲ୍, ଜିମ୍, ବିୟୁଟି ପାର୍ଲରକୁ ସମ୍ପୂର୍ଣ୍ଣ କରିଦିଆଯିବ ।
ତେବେ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆଜି ମମତା ବାନାର୍ଜୀ ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଜିର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ନିମନ୍ତେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କୁ ଶପଥପାଠ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ଅନ୍ୟ ମନ୍ତ୍ରୀମାନଙ୍କର ଶପଥ ଗ୍ରହଣ ଆସନ୍ତା ୬ ଓ ୭ ତାରିଖ ଦିନ ଅନୁଷ୍ଠିତ ହେବ । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି କମ ସଂଖ୍ୟକ ଅତିଥିଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।