fbpx

ବିଜେଡିରୁ ଇସ୍ତଫା ଦେଲେ ମମତା ମୋହନ୍ତା: ରାଜ୍ୟସଭା ସାଂସଦ ପଦ ମଧ୍ୟ ଛାଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ବିଜେଡି ନେତ୍ରୀ ମମତା ମୋହନ୍ତା ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହିତ ପାର୍ଟିର ସଦସ୍ୟତା ମଧ୍ୟ ଛାଡ଼ିଛନ୍ତି । ବିଜେଡି ଛାଡ଼ିବା ପରେ ମମତା ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ସେ ଭାବିଚିନ୍ତି ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ନିକଟକୁ ଲେଖିଥିବା ଇସ୍ତଫା ପତ୍ରରେ ମମତା ଉଲ୍ଲେଖ କରିଛନ୍ତି । ତେବେ ମମତାଙ୍କ ଇସ୍ତଫାକୁ ତ୍ୱରିତ ଭାବେ ସ୍ୱୀକାର କରାଯାଇଥିବା ଜଣାପଡ଼ିଛି ।

ମମତା ବ୍ୟକ୍ତିଗତ ଭାବେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିବା ଶ୍ରୀ ଧନଖର କହିଛନ୍ତି । ଏହା ସାମ୍ବିଧାନିକ ଭାବେ ଉଚିତ ବୋଲି ଗ୍ରହଣ କରଯାଉଛି । ଓଡ଼ିଶା ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ସଦସ୍ୟା ମମତାଙ୍କ ଇସ୍ତଫା ତ୍ୱରିତ ପ୍ରଭାବରେ ସ୍ୱୀକାର କରାଯାଇଥିବା ଧନଖର କହିଛନ୍ତି । ତେବେ ଦଳରୁ ଓ ପଦରୁ ଇସ୍ତଫା ଦେବା ପରେ ମମତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । ଦଳରେ ତାଙ୍କର ଓ ତାଙ୍କ ସମ୍ପ୍ରଦାୟର ସେବାର କୌଣସି ଆବଶ୍ୟକତା ନାହିଁ । ମୟୂରଭଞ୍ଜ ଲୋକଙ୍କର ସେବା କରିବା ଓ ଓଡ଼ିଶା ପ୍ରସଙ୍ଗକୁ ରାଷ୍ଟ୍ରୀୟ ସ୍ତରରେ ଉଠାଇବା ପାଇଁ ସୁଯୋଗ ପ୍ରଦାନ କରିଥିବାରୁ ସେ ସୁପ୍ରିମୋଙ୍କ ନିକଟରେ କୃତଜ୍ଞ ବୋଲି ମମତା କହିଛନ୍ତି । ମମତାଙ୍କ ଇସ୍ତଫା ପରେ ଏବେ ରାଜ୍ୟସଭାରେ ବିଜେଡି ସାଂସଦଙ୍କ ସଂଖ୍ୟା ୮କୁ ଖସି ଆସିଛି । ଅନ୍ୟପକ୍ଷରେ ଲୋକସଭାରେ ବିଜେଡିର କୌଣସି ସାଂସଦ ନାହାନ୍ତି । ସେହିପରି ଓଡ଼ିଶା ବିଧାନସଭାରେ ବିଜେଡିର ୫୧ ଜଣ ସଦସ୍ୟ ରହିବା ସହ ଦଳ ଗୃହରେ ବିରୋଧୀ ଦଳ ଭୂମିକା ନିର୍ବାହ କରୁଛି ।

Get real time updates directly on you device, subscribe now.