ବାହାହୋଇ ଯୁବକ ହେଲେ ନାକେଦମ୍… ପ୍ରେମିକାକୁ କୋର୍ଟରେ, ଘରେ ବାଛିଥିବା ଝିଅକୁ ବେଦିରେ ହେଲେ ବାହା

ବାହାଘରରେ ପ୍ରେମିକାଙ୍କ ଉତ୍ପାତ । ଥାନାବାବୁ କରୁଛନ୍ତି ସମାଧାନ।

ଗୋରଖପୁର: ଉତ୍ତର ପ୍ରଦେଶ ଗୋରଖପୁରରେ ଅଜବ କାଣ୍ଡ ସାମ୍ନାକୁ ଆସିଛି । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଗୋଟିଏ ଦିନରେ ୨ ଥର ବାହା ହୋଇଛନ୍ତି । ଦିନରେ ପ୍ରେମିକା ସହ କୋର୍ଟ ମ୍ୟାରେଜ ଓ ସନ୍ଧ୍ୟାରେ ଘରଲୋକ ଠିକ୍ କରିଥିବା ଝିଅ ସହ ବାହାଘର ।

ରାତି ବାହାଘର ବେଶ୍ ଧୁମଧାମରେ ହୋଇଥିଲା । ହିନ୍ଦୁ ପରମ୍ପରା ଅନୁସାରେ ଯୁବକ ଜଣକ ବରଯାତ୍ରୀ ଧରି କନିଆଁ ଘରକୁ ଯାଇ ବାହା ହୋଇଥିଲେ ।

ଘଟଣାଟି ଗୋରଖପୁରର ହରପୁରର । ଯୁବକ ଜଣଙ୍କ ପାଖ ଗାଁର ଜଣେ ଯୁବତୀଙ୍କ ସହ ୪ରୁ ୫ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିଥିଲେ । ପ୍ରେମିକା ସହିତ ମନ୍ଦିରରେ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥିଲେ । ଏଥିସହ ସମ୍ପର୍କରେ ରହିବା ଭିତରେ ୨ ଥର ଯୁବତୀଙ୍କ ଗର୍ଭପାତ ବି କରେଇଥିବା ଯୁବତୀ କହିଛନ୍ତି ।

ଯେତେବେଳେ ଯୁବକଙ୍କ ବାହାଘର ଘର ଲୋକ ଠିକ୍ କରିଦେଲେ ସେତେବେଳେ ଯୁବତୀ ଜଣକ ଜାଣିପାରିଥିଲେ । ଏହାପରେ ଯୁବକ ଜଣକ ପ୍ରେମିକାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ରଖିଦେଲେ । ଘରଲୋକ ଠିକ୍ କରିଥିବା ବାହାଘର ଦିନ ଯୁବକ ଜଣକ ପ୍ରେମିକାଙ୍କୁ ସାଥୀରେ ନେଇ କୋର୍ଟ ଯାଇ ସେଠାରେ ବାହା ହୋଇଯାଇଥିଲେ ।

ସେହିଦିନ ସନ୍ଧ୍ୟାରେ ସେହି ଯୁବକ ଘର ଲୋକ ଠିକ କରିଥିବା ଯୁବତୀଙ୍କୁ ବାହାହୋଇଯାଇଥିଲେ । ପ୍ରେମିକା ଏ କଥା ଜାଣିପାରି ଥାନାରେ ଅଭିଯୋଗ କରିଥିଲେ । ଯାହାପରେ ସ୍ଥାନୀୟ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି ।