ମୟୁରଭଞ୍ଜ: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ । ଆଜିକାଲି ଅଧିକାଂଶ ଯୁବପିଢ଼ି ଚାଷ ପ୍ରତି ବିମୁଖ ହେବାର ଦେଖାଦେଇଛି । ରୋଜଗାର ଆଶାରେ ସହର ମୁହାଁ ହେଉଛନ୍ତି ଯୁବପିଢ଼ି । ଏଭଳି ସ୍ଥିତିରେ ଏବେବି ମାଟି ଓ ପ୍ରକୃତି ସହ ସଂଘର୍ଷ କରି କ୍ଷେତରେ ଫଳାଉଛନ୍ତି ସୁନା । ନିଜେ ଚାଷ କରି ରୋଜଗାରକ୍ଷମ ହେବା ସହ ୧୦-୧୫ ପରିବାରଙ୍କୁ ମଧ୍ୟ ରୋଜଗାରକ୍ଷମ କରିଛନ୍ତି । ଏଭଳି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ନିରଞ୍ଜନ ମହାନ୍ତି ।
ମୟୁରଭଞ୍ଜ କପ୍ତିପଦା ବ୍ଲକ୍ ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତ ଗେଣ୍ଡାଗଡିଆ ଗ୍ରାମରେ ନିରଞ୍ଜନଙ୍କ ଘର । ପରିଣତ ବୟସରେ ଆଜି ବି ସେ ହାତରେ କୋଡ଼ି କୋଦାଳ ଧରି କ୍ଷେତରେ ଫଳାଉଛନ୍ତି ସୁନା । ୧୯୭୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଚାଷ ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା ଯାହା ଫଳରେ ସେ ଆଜି ସଫଳ ଚାଷୀ ହୋଇପାରିଛନ୍ତି । ନିଜ ବାଡ଼ିରେ ସେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଛନ୍ତି । ବର୍ତ୍ତମାନ ସେ ବିଲାତି, ବାଇଗଣ, ଅମୃତଭଣ୍ଡା, କଦଳ. ଫୁଲ କୋବି, ଧନିଆ ପତ୍ର ଆଦି ଚାଷ କରୁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ସେ ଏହି ପନିପରିବା ଚାଷ ପାଇଁ ସ୍ୱଳ୍ପ ପରିମାଣରେ ରାସାୟନିକ ସାର ପ୍ରୟୋଗ କରି ଜୈବିକ ଉପାୟରେ ଚାଷ କରୁଛନ୍ତି । ଗଛର ଯତ୍ନ ନେବା ସହିତ ନିଜେ ଗଛରେ ପାଣି ଦେବା ଭଳି ସବୁ କାମ ନିଜେ ହିଁ କରନ୍ତି ଓ ତାଙ୍କୁ ସାହାଯ୍ୟ କରୁଥିବା ଶ୍ରମିକମାନଙ୍କୁ ମଧ୍ୟ ଉଚିତ ପରାମର୍ଶ ଦେଇଥାନ୍ତି । ଏହି ପରିବା ଚାଷରୁ ସେ ବାର୍ଷିକ ୪-୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ କରିଥାନ୍ତି । ବିଭିନ୍ନ କିସମର ପନିପରିବା ସହ ଧାନ ଚାଷ ମଧ୍ୟ କରିଥାନ୍ତି । ପରେ ଅମଳ କରି ବଜାରରେ ବିକ୍ରି କରିଥାନ୍ତି । ପରିଣତ ବୟସରେ ବି ଚାଷ କରି ଅନନ୍ଦ ଅନୁଭବ କରିଥାନ୍ତି ବୋଲି କୁହନ୍ତି ନିରଞ୍ଜନ ।
ତେବେ ‘ଚାଷକାମ ଯାହାର କେତେ ସୁଖ ତାହାର’ ଏହି ପଂକ୍ତିକୁ ଅନୁଭବ କରିବା ସହିତ ଏହକୁ ବୁଝି ସଠିକ୍ କାର୍ୟ୍ୟରେ ଲଗାଇଛନ୍ତି ନିରଞ୍ଜନ । ତାଙ୍କର ଏଭଳି ଏକ ପ୍ରୟାସ ବାସ୍ତବରେ ପ୍ରଶଂସା ଯୋଗ୍ୟ । ଏହା ସହ ମାଟି ସହ ସଂଘର୍ଷ ଓ ପ୍ରକୃତିର କରାଳ ରୂପକୁ ସାମ୍ନା କରି ଜଣେ ସଫଳ ଚାଷୀ ହୋଇପାରିବା ସମସ୍ତଙ୍କ ପାଇଁ ଉଦାହରଣ ।