fbpx

ଅବକାରୀ ନୀତି ଘୋଟାଲାରେ ମନୀଷ ସିସୋଦିଆ ମୁଖ୍ୟ ଅଭିଯୁକ୍ତ: CBI

ନୂଆଦିଲ୍ଲୀ: ଅବକାରୀ ନୀତି ଘୋଟାଲା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଏହି ମାମଲାରେ ଆଜି ସିବିଆଇ ତାଙ୍କ ବାସଭବନରେ ରେଡ କରିଛି । ଜଣେ ସରକାରୀ ଅଧିକାରୀଙ୍କ ଘରେ ମଧ୍ୟ ରେଡ୍ ହୋଇଛି ।

ସେଠାରୁ ଯାଞ୍ଚ ଏଜେନ୍ସୀକୁ ଅବକାରୀ ଟ୍ୟାକ୍ସ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ୍ ହାତରେ ଲାଗିଛି । ସିବିଆଇ ଅନୂଯାୟୀ ଏହି ଦସ୍ତାବେଜ୍ କୌଣସି ସରକାରୀ ଅଧିକାରୀଙ୍କ ଘରେ ରହିବା କଥାନୁହେଁ । ସୂଚନା ଅନୂଯାୟୀ, ଶୁକ୍ରବାର ସକାଳେ ମନୀଷ ସିସୋଦିଆ ଏବଂ କିଛି ଅନ୍ୟ ଅଧିକାରୀଙ୍କ ଘରେ ସିବିଆଇ ରେଡ ହୋଇଥିଲା । ଅନେକ ଘଣ୍ଟାର ରେଡ୍ ପରେ କିଛି ଜରୁରୀ ଦସ୍ତାବେଜ ଜବତ ହୋଇଥିଲା ।

ଏହି ପୂରା ଘଟଣାରେ ସିବିଆଇ ଯେଉଁ ଏତଲା ରୁଜୁ କରିଛି , ସେଥିରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମନୀଷ ସିସୋଦିଆ(Manish Sisodia) । ଏହା ସହ ସମୁଦାୟ ୧୫ ଜଣକ ନାମ ମଧ୍ୟ ସାମିଲ ରହିଛି, ତକ୍ରାଳୀନ ଅବକାରୀ କମିଶନର ଏ.ଜି କ୍ରୀଷ୍ଣା ୨ ନମ୍ବର ଅଭିଯୁକ୍ତ । ଏମାନେ ମନଇଚ୍ଛା ଅବକାରୀ ନୀତି ବଦଳାଇଥିବା ନେଇ ଅଭିଯୋଗ ହୋଇଛି । ଲିଜଧାରୀଙ୍କୁ ସୁହାଇଲା ଭଳି ନୀତି ବଦଳାଇଥିବା ଏତଲାରେ କୁହାଯାଇଛି ।

ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ଯାଞ୍ଚ ପାଇଁ ଏଲଜି ବିକେ ସକ୍ସେନା, ମୁଖ୍ୟ ସଚିବଙ୍କ ରିପୋର୍ଟ ଆଦେଶରେ ସୁପାରିଶ କରିଥିଲେ । ମୁଖ୍ୟ ସଚିବ ଦୁଇ ମାସ ତଳେ ନିଜ ରିପୋର୍ଟ ଦେଇଥିଲେ । ଏହି ରିପୋର୍ଟରେ ଜିଏନସିଟିଡି ଆକ୍ଟ ୧୯୯୧, ଟ୍ରାଞ୍ଜାକ୍ସନ ଅଫ୍ ବିଜନେସ୍ ରୁଲ୍ସ ୧୯୯୩, ଦିଲ୍ଳୀ ଏକ୍ସାଇଜ ଆକ୍ଟ ୨୦୦୯ ଏବଂ ଦିଲ୍ଲୀ ଏକ୍ସାଇଜ ରୁଲ୍ସ ୨୦୧୦ ନିୟମର ଉଲ୍ଲଂଘନ ହୋଇଥିବାର ଜଣାପଡ଼ିଥିଲା ।

ସିସୋଦିଆଙ୍କ ଉପରେ ଅଭିଯୋଗ ଏହା ମଧ୍ୟ ରହିଛି ଯେ କରୋନା ବାହାନାରେ ଲାଇସେନ୍ସ ଦେବାରେ ନିୟମକୁ ଅଣଦେଖା କରାଯାଇଥିଲା । ଟେଣ୍ଡର ପରେ ମଦ ଠିକାଦାରଙ୍କୁ ୧୪୪ କୋଟି ଟଙ୍କା ଛାଡ଼ କରାଯାଇଥିଲା । ଏବେ ମନୀଷ ସିସୋଦିଆ ଏବଂ ଆମ୍ ଆଦମୀ ପାର୍ଟୀ ଏହି ଅଭିଯୋଗକୁ ଭିତ୍ତିହୀନ କହୁଛି । ଗୋଟିଏ ପଟେ ସିସୋଦିଆ ନିଜକୁ ଇମାନଦାର କହୁଛନ୍ତି ଏବଂ ଅନ୍ୟପଟେ କେଜ୍ରିୱାଲ ଏବଂ ରାଘବ ଚଡ୍ଡା ଦାବି କରୁଛନ୍ତି ଯେ କେନ୍ଦ୍ର ତାଙ୍କ ସରକାରଙ୍କ ଲୋକପ୍ରିୟତାରେ ଡରିଯାଇଛି ।

Get real time updates directly on you device, subscribe now.