fbpx

ସନ୍ଧ୍ୟା ହୋଇଗଲେ ଭୁବନେଶ୍ୱରର ଟ୍ରାଫିକ୍ ସମସ୍ୟା ଅସମ୍ଭାଳ: ଘଣ୍ଟା ଘଣ୍ଟା ଫସି ରହୁଛି ଆମ୍ବୁଲାନ୍ସ, ଛଟପଟ ହୋଇ ମରୁଛନ୍ତି ରୋଗୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ବିକାଶ ଦିଗରେ ଅଗ୍ରସର ହେଉଥିବା ବେଳେ ଏଠାରେ ଜନସମାଗମ ବଢ଼ିବାରେ ଲାଗିଛି । ସହରର ଜନସଂଖ୍ୟା ବ୍ୟତୀତ ବିଭିନ୍ନ ଜିଲ୍ଲାରୁ ଏଠାକୁ ଦୈନିକ ହଜାର ହଜାର ଲୋକ ଆସୁଛନ୍ତି । ମୁଖ୍ୟ ରାଜପଥ, ଗଳିକନ୍ଦି ସବୁଆଡ଼େ ବର୍ତ୍ତମାନ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ଟ୍ରାଫିକ କାରଣରୁ ଅନେକ ଦୁର୍ଘଟଣାରେ ତ ମରୁଛନ୍ତି ଆମ୍ବୁଲାନ୍ସରେ ଫସି ରହି ଅନେକ ରୋଗୀ ମଧ୍ୟ ବଞ୍ଚି ଥାଉଥାଉ ଟଳି ପଡ଼ୁଛନ୍ତି । ପରିସ୍ଥିତି ଏପରି ଭୟାନକ ହେଲାଣି ଯେ, ଜଣେ ସାଧାରଣ ଲୋକକୁ ଭିଡ଼ ଭିତରେ ୧ କିମି ରାସ୍ତା ଅତିକ୍ରମ କରିବାକୁ ୧-୨ ଘଣ୍ଟାର ଦୀର୍ଘ ସମୟ ଲାଗି ଯାଉଛି ।

ବିଶେଷଚରି ସନ୍ଧ୍ୟା ସମୟରେ ଯଦି କୌଣସି ଆମ୍ବୁଲାନ୍ସ ଗୁରୁତର ରୋଗୀଙ୍କୁ ନେଇ ହସ୍ପିଟାଲ ଯାଉଥିବ, ତେବେ ଆଖି ସାମନାରେ ଜଣଙ୍କର ଜୀବନ ଚାଲିଯିବ ପଛେ କିଛି କରିହେବ ନାହିଁ । ଆଗକୁ ପଛକୁ ଯୁଆଡ଼େ ଚାହିଁବେ ଖାଲି ଗାଡ଼ିମୋଟର ମାଳ ମାଳ । ଅନେକ ସ୍ଥାନରେ ରାସ୍ତାକାମ, ଓଭରବ୍ରିଜ୍ ନିର୍ମାଣ ସକାଶେ ନାହିଁ ନଥିବା ସମସ୍ୟା ଉପୁଜିଛି । ଭିଡ଼ ଭିତରେ ଆମ୍ବୁଲାନ୍ସ ଫସିଗଲେ ଆଉ ନିୟନ୍ତ୍ରଣ କରିହେଉ ନାହିଁ । ଏପରି ପୂର୍ବରୁ ଅନେକ ଘଟଣା ଘଟିଯାଇଛି । ଆମ୍ବୁଲାନ୍ସ ଭିତରେ ଘଣ୍ଟା ଘଣ୍ଟା ରୋଗୀଟିଏ ରହିବା ପରେ ତା’ର ପରିସ୍ଥିତି ଯାହା ହେବ ତାହା କହିବା ମୁସ୍କିଲ୍ । ଓଭରବ୍ରିଜ ତଳ ରାସ୍ତା ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ପାଲଟୁଛି । ରସୁଲଗଡ଼ରୁ ନହରକଣ୍ଟା, ବାଣୀବିହାରରୁ ମଞ୍ଚେଶ୍ୱର, ଜାଗମରାରୁ ଖଣ୍ଡଗିରି, ତମାଣ୍ଡୋରୁ ପାତ୍ରପଡ଼ା ରାସ୍ତାରେ ଅଧିକାଂଶ ସମୟରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଫସି ରହୁଛି । ତେଣୁ ଏ ଦିଗରେ ପ୍ରଶାସନ ଏକ ଦୀର୍ଘସୂତୀ ଯୋଜନା ପ୍ରଣୟନ କରିବାର ଦରକାର । ନଚେତ୍ ଲୋକମାନେ ସମସ୍ୟାରେ ଜର୍ଜରିତ ହେବା ସହ ଆମ୍ବୁଲାନ୍ସ ଭିତରେ ମରିଚାଲିଥିବେ ।

Get real time updates directly on you device, subscribe now.