ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ମାସରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ସେଥିପାଇଁ ସାରା ଦେଶରୁ ବହୁ ଜଣାଶୁଣା ବ୍ୟକ୍ତିବିଶେଷ ଓ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି । ଏହି ପ୍ରତିଷ୍ଠା ଉତ୍ସବରେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ବିରାଟ କୋହଲିଙ୍କ ସମେତ ବହୁ ବ୍ୟକ୍ତିବିଶେଷ ସାମିଲ ହେବେ ।
ତେବେ ରାମ ମନ୍ଦିର ଉଦଘାଟନ ଉତ୍ସବ ପାଇଁ ସାରା ଦେଶରୁ ୮ ହଜାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ ଦିଆଯାଇଛି । ଉକ୍ତ ଉତ୍ସବରେ ଅନେକ ବଲିଉଡ କଳାକାର, କ୍ରିକେଟର, ରାଜନେତା, ଶିଳ୍ପପତି ପ୍ରମୁଖ ସାମିଲ ହେବେ । ସେହି ଲିଷ୍ଟରେ ଅମିତାଭ ବଚନ, ଅକ୍ଷୟ କୁମାର, ରତନ ଟାଟା, ଆଶା ଭୋଂଶଲେଙ୍କ ନାମ ରହିଛି । ତେବେ ରାମ ମନ୍ଦିର ଆନ୍ଦୋଳନର ନେତୃତ୍ୱ ନେଇଥିବା ବିଜେପିର ଅନେକ ବଡ଼ ବଡ଼ ନେତା ମଧ୍ୟ ସାମିଲ ହେବେ । ସେମାନଙ୍କ ମଧ୍ୟରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ବିନୟ କଟିୟାର, ସାଧ୍ୱୀ ଋତମ୍ଭରା ଓ ଉମା ଭାରତୀ ରହିଛନ୍ତି ।
ଏଥିସହିତ ଅଲଗା ଅଲଗା ଧର୍ମଗୁରୁ, ହିନ୍ଦୁ ସମେତ ଜୈନ ଧର୍ମ ମହାଗୁରୁ ମଧ୍ୟ ସାମିଲ ହେବେ । ଦେଶର ପ୍ରସିଦ୍ଧ ଫୁଟବଲର ବାଇଚୁଙ୍ଗ ଭୂତିୟା, ଅଲିମ୍ପିଆନ ମେରି କମ, ବ୍ୟାଡମିଣ୍ଟର ତାରକା ପିଭି ସିନ୍ଧୁ, ପି. ଗୋପୀଚାନ୍ଦ, କ୍ରିକେଟର ରୋହିତ ଶର୍ମା, ସୁନୀଲ ଗାଭାସ୍କର, କପିଲ ଦେବ, ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ଼, ସମସ୍ତ ପ୍ରମୁଖ ରାଜନୈତିକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଯୋଗଦେବେ । ଦିନ ୧୧ଟାରୁ ଆରମ୍ଭ ହୋଇ ୩ ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଚାଲିପାରେ । କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ଓ ଫେରିବା ପାଇଁ ୧ କିମି ରାସ୍ତା ପାଦରେ ଚାଲିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବେ । ସୁରକ୍ଷା ଦୃଷ୍ଟିରୁ ନିୟମ ପାଳନ କରିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହେବ । କାର୍ଯ୍ୟକ୍ରମ ସ୍ଥଳକୁ ମୋବାଇଲ, ପର୍ସ ଆଦି ନେବାକୁ ବାରଣ କରାଯାଇଛି ।