ଫିରିଙ୍ଗିଆ ସହରରେ ମାଓ ପୋଷ୍ଟର: ଏମିତି କିଛି ଲେଖି ପୋଲିସକୁ ଖୋଲା ଚ୍ୟାଲେଞ୍ଜ କଲା ଲାଲ୍ ବାହିନୀ

ଓଡ଼ିଶା ଭାସ୍କର: ଆଜି ପ୍ରଥମ ଥରପାଇଁ ଫିରିଙ୍ଗିଆ ସହରରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର। ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟ ଛକ ନିକଟରେ ଥିବା ଗୋଟିଏ କଲଭର୍ଟରେ ଏକ ମାଓ ପୋଷ୍ଟର ଲଗାଯାଇଛି। ଏହା ଏକ ଜନଗହଳପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଉକ୍ତ ପୋଷ୍ଟର୍‌ ଦେଖି ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ତେବେ ପୋଷ୍ଟରରେ ସେମିତି କିଛି ଧମକପୂର୍ଣ୍ଣ ବୟାନ ରଖାଯାଇ ନାହିଁ କିନ୍ତୁ ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରିଛି ଲାଲ୍ ବାହିନୀ । ଏତଦ୍‌ବ୍ୟତୀତ ସାଢିଙ୍ଗିଆ ଅଞ୍ଚଳର କଟଡ଼ି ଘାଟି, ରିବିଲଦା ଓ ଗୋଛାପଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଧ୍ୟ ମାଓ ପୋଷ୍ଟର୍‌ ଲଗାଯାଇଥିବା ଜଣାପଡିଛି।

କେକେବିଏନ୍‌ ପକ୍ଷରୁ ଜାରି ହୋଇଥିବା ଏହି ପୋଷ୍ଟର୍‌ରେ ମାଓନେତା ଦସୁରୁକୁ ପୁଲିସ ହତ୍ୟା କରିଥିବା ନେଇ ନିନ୍ଦା କରିବା ସହ ତୁମର ବଳିଦାନ ବ୍ୟର୍ଥ ଯିବନି, ତୁମେ ମୃତ୍ୟୁଞ୍ଜୟ, ତୁମକୁ ଆମର କୋଟି କୋଟି ପ୍ରଣାମ ବୋଲି ଉଲ୍ଲେଖ ରହିଛି। ତେବେ ସହରର ଜନପୂର୍ଣ୍ଣ ସ୍ଥାନରେ ଏଭଳି ପୋଷ୍ଟର ଲାଗିଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଅନ୍ୟପଟେ ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ମଧ୍ୟ ଉକ୍ତ ପୋଷ୍ଟରକୁ ହଟାଇ ନଥିବା କୁହାଯାଉଛି।

 

ଏଠାରେ କହି ରଖୁ ଯେ, ଗତ ଫେବ୍ରୁଆରି ୩ରେ ଟପ୍ ମାଓନେତା ଦସୁରୁ ପୋଲିସ ଗୁଳିରେ ପ୍ରାଣ ହରାଇଥିଲା। ଯାହାକୁ ନେଇ ଏବେ ପ୍ରତିକ୍ରିୟାଶୀଳ ହୋଇଛି ଲାଲ୍ ବାହିନୀ। ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର୍‌ ଲଗାଇ ପୋଲିସକୁ ଚ୍ୟାଲେଞ୍ଜ୍‌ ଦେବାକୁ ଚେଷ୍ଟା କରିଛି ‌କେକେବିଏନ୍‌ ସଂଗଠନ। ତେବେ ପ୍ରାଣ ହରାଇଥିବା ମାଓନେତା ଦସୁରୁର ଅଧୁରା ସ୍ୱପ୍ନ ପୂରଣ କରିବୁ ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ କରିଛି କେକେବିଏନ୍‌ ସଂଗଠନ।