fbpx

ଓଡ଼ିଶାରେ କମିଛି ମାଓହିଂସା: ବିଧାନସଭାର ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ସୂଚନା

ଓଡ଼ିଶା ଭାସ୍କର: ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିଲା ଆଜିର ଅଧିବେଶନ। ଦିବଙ୍ଗତ ସଦସ୍ୟ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ରାଜ୍ୟପାଳ ରଘୁବର ଦାସ। ଗୃହରେ ଅଭିଭାଷଣ ପ୍ରଦାନ କରି ଷୋଡ଼ଷ ବିଧାନସଭାର ୧୫ତମ ଅଧିବେଶନକୁ ସମସ୍ତଙ୍କୁ ସ୍ଵାଗତ କରିଥିଲେ ରାଜ୍ୟପାଳ। ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେ ଅମର ଆତ୍ମାର ସଦଗତି କାମନା କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ପରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ତେବେ ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଅବସରରେ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ୟ୍ୟ ନେଇ ସୂଚନା ପ୍ରଦାନ କରିଥିଲେ ରାଜ୍ୟପାଳ ରଘୁବର ଦାସ। ଏଥିରେ ସେ ମାଓହିଂସା ପ୍ରସଙ୍ଗରେ ମଧ୍ୟ ସୂଚନା ପ୍ରକାଶ କରିଛନ୍ତି।

ତେବେ ଶାନ୍ତିପୂର୍ଣ୍ଣ ରାଜ୍ୟରେ ମାଓହିଂସା କମିଥିବା ସୂଚନା ଦେଇ କହିଛନ୍ତି ରାଜ୍ୟପାଳ। ସେ କହିଛନ୍ତି ଯେ, ନକ୍ସଲ ପ୍ରଭାବିତ ଜିଲ୍ଲାସଂଖ୍ୟା ୨୧ରୁ ୧୦କୁ ହ୍ରାସ ହୋଇଛି। ସେହିପରି ୬୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଅନେକ ମାଓବାଦୀଙ୍କୁ ନିପାତ କରାଯାଇଛି ଓ ମାଓ ବିରୋଧୀ ଅଭିଯାନରେ ପୋଲିସକୁ ସଫଳତା ମିଳିଛି। ଅନ୍ୟପଟେ ୧୬୨ ବନ୍ଧୁକ ୪୮୦ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି। ସେପଟେ ୩୨୦୦ ରୁ ଅଧିକ ମାଓବାଦୀ ମୁଖ୍ୟସ୍ରୋତକୁ ମଧ୍ୟ ଫେରିଛନ୍ତି। ତେବେ ‘ଘର ୱାପସୀ’ ମାଧ୍ୟମରେ ମାଓବାଦୀ ମୁଖ୍ୟସ୍ରୋତକୁ ଫେରିଛନ୍ତି ବୋଲି ରାଜ୍ୟପାଳ ରଘୁବର ଦାସ ସୂଚନା ଦେଇଛନ୍ତି।

 

Get real time updates directly on you device, subscribe now.