ନଓ୍ଵାଦା: ଆତଙ୍କବାଦୀ ଆକ୍ରମଣରେ ସହିଦ ଚନ୍ଦନ କୁମାରଙ୍କ ମରଶରୀର ନଓ୍ଵାଦାରେ ପହଞ୍ଚିଛି। ଶେଷ ଶୋଭାଯାତ୍ରା ନୱାଦା ସହର ଏବଂ ୱାରିସାଲିଗଞ୍ଜରେ ବାହାରିଥିଲା। ବନ୍ଦେ ମାତରମ୍, ଭାରତ ମାତା କି ଜୟ ସ୍ଲୋଗାନ ଦେଇ ଲୋକମାନେ ତ୍ରିରଙ୍ଗା ଧରି ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଲୋକମାନେ ପାକିସ୍ତାନ ମୁର୍ଦାବାଦ ସ୍ଲୋଗାନ ମଧ୍ୟ ଦେଇଥିଲେ। ଶୋଭାଯାତ୍ରାରେ ଥିବା ଲୋକମାନେ ଭାବପ୍ରବଣ ହୋଇଯାଉଥିଲେ। ଲୋକଙ୍କ ଆଖିରେ ଲୁହ ଜକେଇ ଆସୁଥିଲା। ବିଭିନ୍ନ ସ୍ଥାନରେ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଶେଷ ଯାତ୍ରା ଦେଇ ଯାଉଥିବା ବାଟରେ ଲୋକମାନେ ଫୁଲ ପକାଉଥିଲେ।
ସହିଦ ଚନ୍ଦନ କୁମାରଙ୍କ ମୃତଦେହ ତାଙ୍କ ପୈତୃକ ଗ୍ରାମ ନରୋମୁର ଗାଁରେ ପହଞ୍ଚିବା ମାତ୍ରେ ତାଙ୍କ ପତ୍ନୀ ଶିଳ୍ପୀ କୁମାରୀ ତାଙ୍କ ସ୍ୱାମୀଙ୍କୁ ତ୍ରିରଙ୍ଗାରେ ଗୁଡ଼ାଇ ଥିବା ଦେଖି କାନ୍ଦି ପକାଇଥିଲେ ପୂରା ପରିବାର। ଏହି ଦୃଶ୍ୟ ଦେଖି ସମସ୍ତ ଲୋକ ଦୁଃଖରେ ଭାବ ବିହ୍ୱଳ ହୋଇଯାଇଥିଲେ। ଏହି ଦୃଶ୍ୟକୁ ଅନେକ ଯୁବକ ନିଜ ମୋବାଇଲରେ କଏଦ କରିଥିବା ଦେଖିବାକୁ ମିଳିଥିଲା।ସମସ୍ତେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଦେଖିବାକୁ ମିଳିଥିଲା।
ଏହି ସମୟରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ସହିଦ ଚନ୍ଦନ କୁମାରଙ୍କ ଅନ୍ତିମ ସଂସ୍କାର ବିଳମ୍ବିତ ରାତି ସୁଦ୍ଧା ପୈତୃକ ଗାଁରେ କରାଯିବ। ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ନଓ୍ଵାଡ଼ାର ବୀର ଲାଲ ଚନ୍ଦନ କୁମାର। ୨୬ ବର୍ଷୀୟ ଚନ୍ଦନ ୨୦୧୭ରେ ସେନାରେ ଯୋଗ ଦେଇଥିଲେ। ସେ ପାଖାପାଖି ଅଢ଼େଇ ବର୍ଷ ଧରି ଜମ୍ମୁରେ ଥିଲେ। ସେ ୮୬ ବାଟାଲିୟନ ଇନଫେଣ୍ଟରିରେ ରାଇଫଲମ୍ୟାନ ଭାବେ ନିୟୋଜିତ ଥିଲେ।