fbpx

ରାଜ୍ୟରେ ଖୋଲିବ ମେଡିକାଲ୍‌ କଲେଜ୍‌, କୋଭିଡ୍ କଟକଣା ମଧ୍ୟରେ ଚାଲିବ କ୍ଲାସ୍

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାଜ୍ୟରେ କୋଭିଡ୍‌ ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ବନ୍ଦ ଥିବା ମେଡିକାଲ୍‌ କଲେଜକୁ ପୁଣି ଥରେ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଡିଏମ୍‌ଇଟିଙ୍କୁ ଚିଠି ଲେଖି ଜଣାଇଛନ୍ତି ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର ।

କୋଭିଡ୍‌ ଗାଇଡଲାଇନ୍‌ ପାଳନ ପୂର୍ବକ ପୁଣି ଥରେ ମେଡିକାଲ କଲେଜ, ନର୍ସିଂ, ଫାର୍ମାସି, ପାରାମେଡିକାଲ ଅନୁଷ୍ଠାନ ଖୋଲିବା ପାଇଁ ସେ ଚିଠିରେ ଦର୍ଶାଇଛନ୍ତି । ତେବେ ମେଡିକାଲ କଲେଜ ଖୋଲିବା ପରେ ସେଠାରେ ବିଭିନ୍ନ ବିଷୟ ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ଯେପରିକି, ଥିଓରି କ୍ଲାସ ପୂର୍ବଭଳି ଅନ୍‌ଲାଇନ୍‌ ରେ ଜାରି ରହିବ । ପ୍ରାକ୍ଟିକାଲ କ୍ଲାସ ପାଇଁ ପିଲାମାନଙ୍କୁ ଗ୍ରୁପରେ ବିଭକ୍ତ କରାଯାଇ କ୍ଲାସ୍‌ ହେବ । କ୍ଲାସରେ ଯୋଗଦେବାକୁ ହେଲେ ପିଲାମାନଙ୍କୁ ସେମାନଙ୍କ ଅଭିଭାବକଙ୍କ ଅନୁମତି ଆଣିବାକୁ ହେବ । ଏହାସହ ଶିକ୍ଷାନୁଷ୍ଠାନ ପିଲାମାନଙ୍କର ସ୍କ୍ରିନିଂ ପ୍ରତି ଧ୍ୟାନ ଦେବାକୁ ଚିଠିରେ ଦର୍ଶାଯାଇଛି ।

ଏହାସହିତ କ୍ୟାମ୍ପସରେ ପିଲାମାନେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ହାତ ଧୋଇବା ଏବଂ ସାମାଜିକ ଦୂରତା କିଭଳି ପାଳନ କରିବେ ସେ ନେଇ ଦୃଷ୍ଟି ଦେବାକୁ ଏସିଏସ୍‌ ଚିଠିରେ ଦର୍ଶାଇଛନ୍ତି । ଯେଉଁ ପିଲାମାନେ ଟିକା ନେଇ ନାହାଁନ୍ତି କିମ୍ବା ଗୋଟିଏ ଡୋଜ୍‌ ନେଇଛନ୍ତି ସେମାନଙ୍କୁ ଅଲଗା କରି କ୍ଲାସ୍‌ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.