୨୩ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ, ଭୀଷଣ ଝଡ଼ବର୍ଷାର ସମ୍ଭାବନା

ଆସନ୍ତାକାଲି ପାଇଁ ୨୩ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି।

ଭୁବନେଶ୍ୱର: କାଳବୈଶାଖୀ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ। ଜାରି କଲା ୟେଲୋ ଓ୍ୱାର୍ଣ୍ଣିଂ। କେବଳ ଗୋଟେ କି ଦୁଇଟି ନୁହେଁ ୨୩ଟି ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ।

ହଁ ଯଦିଓ ଦିନରେ କାଳବୈଶାଖୀର ପ୍ରଭାବ ବିଶେଷ ଦେଖିବାକୁ ମିଳୁନାହିଁ, ହେଲେ ଅପରାହ୍ନ ହେବା କ୍ଷଣି ଆକାଶରେ ଘୋଟି ଆସୁଛି କଳାହାଣ୍ଡିଆ ମେଘ। ବହୁଛି ପବନ। ଆଉ କୁଆପଥର ମାଡ଼ ସହ ପ୍ରବଳ ବର୍ଷା।

ଯେହେତୁ ଏବେ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି, ତେଣୁ ଆସନ୍ତାକାଲି ପାଇଁ ୨୩ ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୧୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଆଜି ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ନେଇ ୭ ଜିଲ୍ଲା କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।