fbpx

ଭିତରକନିକାକୁ ବଢ଼ିଲା ବିଦେଶୀ ପକ୍ଷୀଙ୍କ ଆଗମନ; ୧୪ଟି ପ୍ରଜାତିର ୧୩ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶୀ ପକ୍ଷୀ ଚିହ୍ନଟ

Advertisement

ଭୁବନେଶ୍ୱର: ଚଳିତବର୍ଷ ମଧ୍ୟ ବହୁସଂଖ୍ୟାରେ ବିଦେଶୀ ପକ୍ଷୀ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଆସୁଛନ୍ତି । ଏଥର କେନ୍ଦ୍ରାପଡ଼ା ସ୍ଥିତ ଭିତରକନିକାକୁ ଅଧିକ ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଥିବା ଜଣାଯାଇଛି । ପକ୍ଷୀଗଣନାବେଳେ ଏଠାରେ ୧୪ଟି ପ୍ରଜାତିର ୧୩ ଲକ୍ଷ ୩୯ ହଜାର ୯୫୯ ବିଦେଶୀ ପକ୍ଷୀ ଚିହ୍ନଟ ହୋଇଛନ୍ତି । ଗତଥର ଅପେକ୍ଷା ୧ ହଜାର ୮୦୨ଟି ଅଧିକ ପକ୍ଷୀ ରହିଥିବାନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ହୀରାକୁଦ ଡ୍ୟାମରେ ମଧ୍ୟ ଆଜି ସକାଳୁ ବିଦେଶୀ ପକ୍ଷୀଗଣନା ଆରମ୍ଭ କରାଯାଇଛି ।

ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୩୦ ଜଣ ପକ୍ଷୀ ବିଶାରଦଙ୍କୁ ନେଇ ୩୦ଟି ଟିମ୍‍ ଗଠନ କରାଯାଇଥିବାବେଳେ ଡ୍ୟାମ୍‍କୁ ୧୫ଟି ସେକ୍ଟରରେ ଭାଗ କରାଯାଇ ଗଣନା କରାଯାଉଛି । ଆଜି ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା ଚାଳିବାକୁ ଥିବାବେଳେ ଜଳଭଣ୍ଡାରରେ ୫୩୩ ବର୍ଗ କି.ମି. ପର୍ଯ୍ୟନ୍ତ ଗଣନା କରାଯିବ । ସେହିପରି ପାୱାର କେନାଲର ୫.୭ ବର୍ଗ କି.ମି. ଏରିଆକୁ ମଧ୍ୟ ଏଥିରେ ସାମିଲ୍ କରାଯିବା ସହ ଚଳିତ ବର୍ଷ ଛତିଶଗଡ଼ ସୀମାର ସୁଖାସୋଡ଼ା ଓ ଅନ୍ତରାଢ଼ି ଯାଏଁ ପକ୍ଷୀ ଗଣନା କରାଯାଉଛି । ବାଇନାକୁଲାର, ଜିପିଏସ କ୍ୟାମେରା ସାହାଯ୍ୟରେ ପକ୍ଷୀ ଗଣନା କରାଯିବା ସହ କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ ଲାଇଫ୍ ଜାକେଟ୍ ମଧ୍ୟ ବ୍ୟବହାର କରାଯାଇଛି ।

ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ଅଂଶୁପ୍ରଜ୍ଞା ଦାଶ ଏନେଇ ଅଧିକ ସୂଚନା ଦେଇ କହିଛନ୍ତି, ପ୍ରତିବର୍ଷ ଏଠାକୁ ବହୁ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ଚଳିତ ବର୍ଷ କେତେ ସଂଖ୍ୟାରେ ଏବଂ କେଉଁ କେଉଁ ପ୍ରଜାତିର ବିଦେଶାଗତ ପକ୍ଷୀ ଆସିଛନ୍ତି ତାହାର ଗଣନା କରାଯାଉଛି । ବିଶେଷଜ୍ଞ ମାନଙ୍କ ସହ ସ୍ଥାନୀୟ ମତ୍ସ୍ୟଜିବୀମାନେ ଜଳଭଣ୍ଡାରର ଅଧିକ ସଂଖ୍ୟାରେ ପକ୍ଷୀ ରହୁଥିବା ଅଞ୍ଚଳ ସମ୍ପର୍କରେ ଅଧିକ ଜାଣିଥିବାରୁ ସେମାନଙ୍କୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଥିବା ନେଇ ଡିଏଫ୍‍ଓ ଜଣାଇଛନ୍ତି ।

Get real time updates directly on you device, subscribe now.