fbpx

ଆଜିଠୁ ଆକାଶରେ ଉଇଁବ ଜହ୍ନମାମୁଁର ସାନ ଭାଇ, ଦୁଇ ମାସ ଆମକୁ ମାରିବ ଆଖି ମିଟିକା

ୱାସିଂଟନ: ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଏକା ସାଙ୍ଗରେ ଆକାଶରେ ଦେଖାଯିବ ଦୁଇଟି ଚନ୍ଦ୍ରମା । ବୈଜ୍ଞାନିକ ଏହାକୁ ୨୦୨୪ ପିଟି ୫ ନାମ ଦେଇଛନ୍ତି । ହେଲେ ଏହି ଦ୍ୱିତୀୟ ଚନ୍ଦ୍ରମାକୁ ସବୁଦିନ ପାଇଁ ଦେଖିହେବ ନାହିଁ । ଏହା ଚନ୍ଦ୍ରମା ପରି ହୋଇଥିଲେ ମଧ୍ୟ ଆକାରରେ ଛୋଟ ହେବ । ତେଣୁ ଏହାକୁ ମିନି ମୁନ କୁହାଯାଉଛି । ଏହା ପ୍ରାୟ ଦୁଇ ମାସ ଯାଏଁ ଆକାଶରେ ଦୃଶ୍ୟମାନ ହେବ । ଆଜିଠାରୁ ଏହି କୁନି ଜହ୍ନମାମୁଁକୁ ୨୫ ନଭେମ୍ବର ଯାଏ ଦେଖିହେବ ।

ତେବେ କେମିତି ଦେଖିବେ ଏହି ମିନି ମୁନକୁ? କଣ ଏହା ସାଧାରଣ ଆଖିରେ ଦେଖିହେବ?

ନାସା ବୈଜ୍ଞାନିକଙ୍କ ମତରେ ଏହି ଚନ୍ଦ୍ରମାକୁ ଖାଲି ଆଖିରେ ଦେଖିହେବନାହିଁ । ଏହା ଆକାରରେ ଛୋଟ ହେବା ସହ ଏହାର ଚଟାଣ ଧୁଆଁଳିଆ । ତେଣୁ ଏହାକୁ ସାଧାରଣ ଦୂରବିକ୍ଷଣରେ ମଧ୍ୟ ଦେଖିବା ସହଜ ହେବନାହିଁ । ଏହାକୁ ଦେଖିବାକୁ ବିଶେଷ ଦୂରବିକ୍ଷଣର ଆବଶ୍ୟକତା ରହିଛି । ଆଷ୍ଟ୍ରୋନୋମର ଡ ଜେନିଫର ମିଲାର୍ଡଙ୍କ ମୁତାବକ, ଏହାକୁ ଶକ୍ତିଶାଳୀ ଓ ପ୍ରୟୋଗଶାଳାରେ ବ୍ୟବହୃତ ଦୂର ଯନ୍ତ୍ରରେ ଦେଖିହେବ । ତେବେ ବୈଜ୍ଞାନିକଙ୍କ ଦ୍ୱାରା ଉଠାଯାଇଥିବା ଫଟୋ ଇଣ୍ଟରନେଟରେ ଉପଲବ୍ଧ ହେବ ବୋଲି କହିଛନ୍ତି ଏହି ବିଶେଷଜ୍ଞ ।

ନାସାର ଜେଟ ପ୍ରୋପ୍ଲସନ ଲାବେରୋଟାରୀ ହରାଇଜିନ୍ସ ସିଷ୍ଟମରୁ ଉପଲବ୍ଧ ନୂଆ ଡାଟା ଅନୁଯାୟୀ, ମିନି ଚନ୍ଦ୍ରର ଫଟୋ ଆମେରିକୀୟ ସମୟ, ଅପରାହ୍ନ ୩.୫୪ରୁ ଉପଲବ୍ଧ ହୋଇଯିବ । ଏହି ମିନି ଚନ୍ଦ୍ର ୨୫ ନଭେମ୍ବର ୧୧.୪୩ ଯାଏ ରହିବ । ଏହି ମିନି ମୁନ ସମ୍ପର୍କରେ ପ୍ରଥମ କରି ୭ ଅଗଷ୍ଟରେ ଜଣାପଡିଥିଲା । ନାସାର ଆଷ୍ଟ୍ରଏଡ ଆଲର୍ଟ ସିଷ୍ଟମରେ ଏହାକୁ ଦେଖାଯାଇଥିଲା ।

ବୈଜ୍ଞାନିକଙ୍କ ମତରେ ଏହି ଛୋଟ ଗ୍ରହଟି ୩୩ ଫୁଟ ବା ୧୦ ମିଟର ଚଉଡା । ଏହା ଅର୍ଜୁନ ଆଷ୍ଟ୍ରଏଡ ବେଲ୍ଟରୁ ଆସେ, ଯାହା ମହାକାଶ ଚଟାଣର ଏକ ବିବିଧ ସମୂହ ଅଟେ । ଏହା ପୃଥିବୀ ନିକଟରୁ ସୂର୍ଯ୍ୟକୁ ପରିକ୍ରମା କରେ ।

Get real time updates directly on you device, subscribe now.