fbpx

ଅନ୍ଧବିଶ୍ୱାସ: ନାବାଳିକାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ବୁଲାଇଲେ, ଭିକ ମଗାଇଲେ; କହିଲେ- ଭଗବାନ ଖୁସି ହେବେ

ଭୋପାଳ: ଆଜିବି ଦେଶରେ ବଞ୍ଚିଛି କୁପ୍ରଥା । ଆଉ ଏହାର ଶିକାର ହେଉଛନ୍ତି କିଛି ନୀରିହ ନାବାଳିକା । ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରୁ ଏଭଳି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଅନ୍ଧବିଶ୍ୱାସ ନାମରେ ସମସ୍ତ ଅଶ୍ଳୀଳତାର ସୀମା ପାର କରିଛନ୍ତି ଗ୍ରାମବାସୀ । ଏଠାରେ ବର୍ଷା ପାଇଁ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ନାବାଳିକା ଝିଅମାନଙ୍କୁ ସମଗ୍ର ଗାଁରେ ଉଲଗ୍ନ କରି ବୁଲାଯାଇଥିଲା । କେବଳ ଏତିକି ନୁହେଁ, ଝିଅମାନଙ୍କୁ ଘରେ ଘରେ ଭିକ ମାଗିବା ପାଇଁ ବି ବାଧ୍ୟ କରାଗଲା ।

ପୋଲିସର ସୂଚନାନୁସାରେ, ଏହି ଘଟଣା ଦାମୋହର ଏକ ଆଦିବାସୀ ଗ୍ରାମରେ ଘଟିଛି। ଗ୍ରାମବାସୀ ବିଶ୍ୱାସ କରନ୍ତି ଯେ ଏହା କରିବା ଦ୍ୱାରା ଗାଁରେ ଭଲ ବର୍ଷା ହୋଇଥାଏ। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଦାମୋହ ପ୍ରଶାସନକୁ ନୋଟିସ ପଠାଇଛି।

ଭିଡିଓରେ ପ୍ରାୟ ପାଞ୍ଚ ବର୍ଷ ବୟସର ୫ଜଣ ଝିଅ ଉଲଗ୍ନ ଅବସ୍ଥାରେ ଚାଲୁଥିବାର ନଜର ଆସିଛନ୍ତି। ଝିଅମାନଙ୍କ ହାତରେ ଏକ କାଠ ବାଡ଼ି ମଧ୍ୟ ଅଛି, ଯେଉଁଥିରେ ବେଙ୍ଗ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ଏହି ଝିଅ ମାନଙ୍କ ସହିତ କିଛି ମହିଳା ମଧ୍ୟ ଚାଲୁଛନ୍ତି ଓ ଦେବତାଙ୍କୁ ପ୍ରାର୍ଥନା କରି ଗୀତ ଗାଉଛନ୍ତି । ଝିଅ ମାନେ ଗାଁର ପ୍ରତିଟି ଘରକୁ ଯାଉଛନ୍ତି ଓ ଲୋକମାନଙ୍କୁ ଅଟା, ଡ଼ାଲି ଓ ଅନ୍ୟ ଖାଦ୍ୟ ଶସ୍ୟ ମାଗୁଛନ୍ତି । କୁହାଯାଇଛି ଯେ, ଏହି ଖାଦ୍ୟ ଶସ୍ୟକୁ ନେଇ ମନ୍ଦିରକୁ ଯାଆନ୍ତି ଓ ସେଠାରେ ଭୋଜିର ଆୟୋଜନ ହୁଏ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଜିଲ୍ଲା ଏସପି ଡିଆର ତେନିୱାର କହିଛନ୍ତି ଯେ ଘଟଣାର ଅନୁସନ୍ଧାନ କରାଯାଉଛି, ଯଦି ଝିଅମାନଙ୍କୁ ଏପରି କରିବାକୁ ବାଧ୍ୟ କରାଯାଉଥାଏ ତେବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଜିଲ୍ଲା ମାଜିଷ୍ଟ୍ରେଟ ଏସ କୃଷ୍ଣ କହିଛନ୍ତି ଯେ, ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଆଯାଇଛି। ଏପର୍ୟ୍ୟନ୍ତ କୌଣସି ଗ୍ରାମବାସୀଙ୍କ ବିରୋଧରେ କୌଣସି ଅଭିଯୋଗ ହୋଇନାହିଁ। ସେ କହିଛନ୍ତି ଯେ ଜିଲ୍ଲାରେ ସଚେତନତା ଅଭାବରୁ ଏହି ଘଟଣା ଘଟିଛି।

Get real time updates directly on you device, subscribe now.