ମୃତକ ଓ ଆହତଙ୍କୁ ନେଇ ବଢ଼ୁଛି ସମସ୍ୟା: ୧୨୭ ଯାତ୍ରୀ ଗଲେ କୁଆଡ଼େ, ଚିନ୍ତା ବଢ଼ାଉଛି ପଡ଼ୋଶୀ ରାଜ୍ୟର ନିଖୋଜ ଯାତ୍ରୀ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ଶହ ଶହ ପରିବାରକୁ ସର୍ବସ୍ୱାନ୍ତ କରିଦେଇଥିବା ବେଳେ ଏବେ ବି ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଏହି ଦୁର୍ଘଟଣାର ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରିବା ଠାରୁ ଆରମ୍ଭ କରି ମୃତଦେହକୁ ସଂରକ୍ଷିତ କରି ରଖିବା, ପୀଡ଼ିତଙ୍କ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରିବା ନେଇ ଓଡ଼ିଶା ସରକାର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ଦୁର୍ଘଟଣାରେ ଓଡ଼ିଶାର ୩୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ରାଜ୍ୟରେ ଅଧିକ ଯାତ୍ରୀ ମରିଥିବା କୁହାଯାଉଛି ।

ମୃତଦେହକୁ ଚିହ୍ନଟ ସକାଶେ ସମ୍ପର୍କୀୟଙ୍କ ପାଇଁ ରାଜ୍ୟ ସରକାର ୩ଟି ୱେବସାଇଟରେ ମୃତକଙ୍କ ଫଟୋ ଓ ତଥ୍ୟ ଜାରି କରିଛନ୍ତି । ଗୋଟିଏ ଶବ ପାଇଁ ଏକାଧିକ ଦାବିଦାରଙ୍କୁ ଦେଖିବାକୁ ମିଳୁଛି । ଏପରିକି ଜଣଙ୍କର ଶବ ଅନ୍ୟ ରାଜ୍ୟକୁ ଚାଲିଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ଅନେକ ଲୋକ ସହାୟତା ରାଶି ପାଇବା ଲୋଭରେ ଅନେକ ମିଛ ତଥ୍ୟ ପ୍ରଦାନ କରୁଥିବା ଦେଖାଯାଉଛି । ବର୍ତ୍ତମାନ ସୁଦ୍ଧା ୧୧୧ଟି ମୃତଦେହ ହସ୍ତାନ୍ତର ହେବା ସହ ୮୨ଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଚାଲିଛି । ଏନେଇ ଅନ୍ୟ ରାଜ୍ୟର ସରକାରୀ ଅଧିକାରୀଙ୍କ ସହାୟତା ନିଆଯାଉଛି । ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଡିଏନଏ ଟେଷ୍ଟ କରାଯାଉଥିବା ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ମାତ୍ର ଅନ୍ୟପକ୍ଷରେ ବିହାର ଓ ପଶ୍ଚିମବଙ୍ଗ ସରକାରଙ୍କ ତଥ୍ୟ ଅଲଗା କହୁଛି । ପଶ୍ଚିମବଙ୍ଗର ୩୯ ଜଣ ଯାତ୍ରୀ ନିଖୋଜ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି । ସେହିପରି ବିହାରର ୮୮ ଜଣ ଯାତ୍ରୀ ନିଖୋଜ ରହିଥିବା ରାଜ୍ୟ ସରକାର କହିଛନ୍ତି । ତେଣୁ ଏଭଳି ସ୍ଥିତିରେ ଓଡ଼ିଶା ସରକାରଙ୍କ ପାଇଁ ଏହି ମୃତଦେହ ଚିହ୍ନଟ କରିବା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ତେବେ ଏଭଳି ସ୍ଥିତିରେ ନିଖୋଜ ଥିବା ମୋଟ ୧୨୭ ଜଣ ଯାତ୍ରୀ ଏବେ ଗଲେ କୁଆଡ଼େ । ପଡ଼ୋଶୀ ରାଜ୍ୟର ତଥ୍ୟ କେତେଦୂର ଠିକ୍ ସେନେଇ ମଧ୍ୟ ଠିକ୍ ଭାବେ ତଦାରଖ କରାଯିବା ଦରକାର ।