BJPର ବରିଷ୍ଠ ନେତାଙ୍କ ମୋବାଇଲ ଟାଣିନେଲା ଚୋର, ସାଧାରଣ ଜନତାଙ୍କ କଥା କ’ଣ କହିବା

ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ଚୋରି ଏକ ସାଧାରଣ କଥା । ମାର୍କେଟରେ, ରାସ୍ତାରେ, ଗାଡ଼ି ଚଳାଉଥିବା ବେଳେ ଚୋରମାନେ ମୋବାଇଲ ଫୋନ୍ ଲୁଟି ନେଉଥିବା ନେଇ ନିୟମିତ ଅନେକ ଅଭିଯୋଗ ଆସୁଛି । ତେବେ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଛାଡ଼ି ନାହାନ୍ତି ଚୋରମାନେ । ଏନେଇ ଅଭିଯୋଗ ହେବା ପରେ ପୋଲିସ ୧୨ ଘଣ୍ଟା ପରେ ମୋବାଇଲ ଜବତ କରିବାରେ ସକ୍ଷମ ହୋଇଥିଲା । ଏଥିସହ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ପୂର୍ବତନ ସାଂସଦ ତଥା ଦିଲ୍ଲୀର ବରିଷ୍ଠ ବିଜେପି ନେତା ବିଜୟ ଗୋୟଲଙ୍କଠାରୁ ଚୋର ମୋବାଇଲ ଲୁଟି ନେଇଥିଲା । ସନ୍ଧ୍ୟା ୬ଟା ୪୫ ମିନିଟ ସମୟରେ ବିଜୟ ଜାମା ମସଜିଦ ଅଞ୍ଚଳରେ ନିଜ କାରରେ ବସି କଥା ହେଉଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ପାଦରେ ଚାଲି ଚାଲି ଆସି ମୋବାଇଲଟିକୁ ଛଡ଼ାଇ ନେଇ ପଳାଇ ଯାଇଥିଲା । ପରେ ପୋଲିସର ହସ୍ତକ୍ଷେପ ପରେ ଚୋର ଧରାପଡ଼ିବା ସହ ମୋବାଇଲ ଜବତ ହୋଇଥିଲା । ସୂଚନାଯୋଗ୍ୟ ଯେ, ବିଜୟ ୩ ଥର ଲୋକସଭା ସାଂସଦ ଓ ଥରେ ରାଜ୍ୟସଭା ସାଂସଦ ଥିଲେ । ମୋଦୀ ସରକାରଙ୍କ ଅଧୀରେ ସେ ମନ୍ତ୍ରୀ ପଦ ପାଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ବିଜୟ ଦିଲ୍ଲୀ ରାଜନୀତିର ଏକ ବଡ଼ ଚେହେରା । ବର୍ତ୍ତମାନ ସେ ଗାନ୍ଧି ସଂସ୍କୃତି ଓ ଦର୍ଶନ ସମିତିର ଉପାଧ୍ୟକ୍ଷ ଅଛନ୍ତି ।