ନୂଆ ବର୍ଷରେ ଆଉ ଏକ ବଡ ଘୋଷଣା, ୧୦ ଲକ୍ଷ ଘର ଦେବାକୁ ଯାଉଛନ୍ତି ମୋଦୀ ସରକାର, ଜାଣନ୍ତୁ କାହାକୁ ଓ କେବେ ମିଳିବ ?
ପ୍ରଧାନମନ୍ତ୍ରୀ ଆୱାସ ଯୋଜନା-ଗ୍ରାମୀଣ ଅଧୀନରେ ୨୦୨୪-୨୫ ମସିହାରେ ୧୦ ଲକ୍ଷ ଘରକୁ ଅନୁମୋଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ଯାହା ଦାରିଦ୍ର୍ୟ ମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ନୂଆଦିଲ୍ଲୀ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ୨୦୨୪-୨୫ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା-ଗ୍ରାମୀଣ ଅଧୀନରେ ୧୦ ଲକ୍ଷ ଘର ଅନୁମୋଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ବୁଧବାର (ଜାନୁଆରୀ ୨)ରେ ଏକ ବୈଠକରେ ଏହି ଯୋଜନାର ଅଗ୍ରଗତି ଏବଂ ଆଗାମୀ କାର୍ଯ୍ୟ ଯୋଜନା ଉପରେ ମନ୍ତ୍ରଣାଳୟ ଆଲୋଚନା କରିଛି ।
ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଭାରତର ଗ୍ରାମାଞ୍ଚଳର ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ବିଭାଗକୁ ସ୍ଥାୟୀ ଏବଂ ନିରାପଦ ଗୃହ ଯୋଗାଇବା । ସମସ୍ତ ଗ୍ରାମୀଣ ବିକାଶ ଯୋଜନାର ଠିକ ସମୟରେ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ମାସିକ ଲକ୍ଷ୍ୟ ଧାର୍ଯ୍ୟ କରାଯିବ ବୋଲି ମନ୍ତ୍ରଣାଳୟ କହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦାରିଦ୍ର୍ୟ ମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବାରେ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜର ମତାମତ ଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ ମନ୍ତ୍ରଣାଳୟର ଯୋଜନାଗୁଡିକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତିବଦ୍ଧ ଏବଂ ଏହି ଯୋଜନାର ଲାଭକୁ ସମସ୍ତ ଅଭାବୀ ଲୋକଙ୍କୁ ସ୍ୱଚ୍ଛ ଏବଂ ସମୟ ସୀମା ମଧ୍ୟରେ ବିସ୍ତାର କରିବାକୁ ଉଦ୍ୟମ ଚାଲିଛି ।
ଜାନୁଆରୀ ୨୦୨୫ ସୁଦ୍ଧା ୧୦ ଲକ୍ଷ ଘରକୁ ମିଳିବ ମଞ୍ଜୁରୀ :-
ମନ୍ତ୍ରଣାଳୟର ସରକାରୀ ବିବୃତ୍ତି ଅନୁଯାୟୀ ଜାନୁୟାରୀ ୨୦୨୫ ସୁଦ୍ଧା ୧୦ ଲକ୍ଷ ଘରକୁ ମଞ୍ଜୁର କରିବା ଏବଂ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହି ଯୋଜନା ଗ୍ରାମାଞ୍ଚଳରେ ଜୀବନଧାରଣର ଉନ୍ନତି ତଥା ଗରିବଙ୍କ ପାଇଁ ସ୍ଥାୟୀ ଗୃହ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିବ ।
ଏହା ଅଧୀନରେ, ସମସ୍ତ ଯୋଜନାଗୁଡିକର ଠିକ ସମୟରେ କାର୍ଯ୍ୟକାରୀ ହେବା ନିଶ୍ଚିତ କରିବାକୁ ପ୍ରତି ମାସରେ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯିବ । ଏହା କେବଳ ଯୋଜନାଗୁଡିକର ଅଗ୍ରଗତିକୁ ତ୍ୱରାନ୍ୱିତ କରିବ ନାହିଁ ବରଂ ସ୍ୱଚ୍ଛତା ମଧ୍ୟ ସୁନିଶ୍ଚିତ କରିବ ।