fbpx

ଶାମୀ ଜଣେ ଭଲ କ୍ରିକେଟର, ଯଦି ସେ, ମୁଁ …: ବିଶ୍ୱକପ ଫାଇନାଲ ପୂର୍ବରୁ ଆସିଲା ପତ୍ନୀ ହାସୀନଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପର ଫାଇନାଲରେ ଆସନ୍ତା ୧୯ରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ଭେଟିବ । ତେବେ ଚଳିତ ବିଶ୍ୱକପରେ ପ୍ରଥମ ୪ଟି ମ୍ୟାଚ ଖେଳି ନଥିଲେ ହେଁ ପରବର୍ତ୍ତୀ ୬ଟି ମ୍ୟାଚରେ ଟିମ୍ ଇଣ୍ଡିଆର ପେସ ବୋଲର ମହମ୍ମଦ ଶାମୀ ଉଚ୍ଚକୋଟୀର ପ୍ରଦର୍ଶନ କରି ନୂଆ ରେକର୍ଡ କରିବା ସହିତ ସଭିଙ୍କ ମନ ମୋହି ନେଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଶାମୀ ୭ଟି ୱିକେଟ ହାସଲ କରି ଭାରତକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ବର୍ତ୍ତମାନ ସୁଦ୍ଧା ଚଳିତ ବିଶ୍ୱକପରେ ଶାମୀ ୨୩ଟି ୱିକେଟ ଅକ୍ତିଆର କରିଛନ୍ତି । ଶାମୀ ଲିଗ୍ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି, ଇଂଲଣ୍ଡ ବିପକ୍ଷରେ ୪ଟି, ଶ୍ରୀଲଙ୍କା ବିପକ୍ଷରେ ୫ଟି, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ୱିକେଟ ଅକ୍ତିଆର କରି ଆଗରେ ରହିଛନ୍ତି । ଏବେ ଚାରିଆଡ଼େ ଶାମିଙ୍କ ପ୍ରଦର୍ଶନକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଏହା ମଧ୍ୟରେ ତାଙ୍କର ପତ୍ନୀ ହାସୀନ ଜହାଁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଗତ କିଛିବର୍ଷ ଧରି ଶାମି ଓ ହାସୀନଙ୍କ ପାରିବାରିକ ବିବାଦ ଲାଗି ରହିଛି ।

ହାସୀନ ଗଣମାଧ୍ୟମକୁ କହିଛନ୍ତି, ‘ଶାମୀ ଯେପରି ଜଣେ ଭଲ କ୍ରିକେଟର କାଶ ସେପରି ଜଣେ ଭଲ ମଣିଷ ହୋଇଥାନ୍ତେ । ସେ, ମୁଁ ଓ ମୋ ଝିଅ ଯଦି ଏକାଠି ରହି ଏକ ହସଖୁସିର ଜୀବନ ବିତାଇଥାନ୍ତୁ ତେବେ ସେ ମୁହୂର୍ତ୍ତ କେତେ ଆନନ୍ଦମୟ ହୋଇଥାନ୍ତା । ମୋ ସହିତ ଅନ୍ୟାୟ ହୋଇଛି, ଏହା ମୋ ସହିତ ପରିଚିତ ଲୋକମାନେ ଭଲ ଭାବେ ଜାଣିଛନ୍ତି । ଶାମୀଙ୍କ ସହିତ ମୋର ସମ୍ପର୍କକୁ ନେଇ ତାଙ୍କର କ୍ରିକେଟ କ୍ୟାରିୟର ସହ ଯୋଡ଼ାଯାଉଛି ।’ ସୂଚନାଯୋଗ୍ୟ ଯେ, ୨୦୧୪ରେ ଶାମୀ ଓ ହାସୀନଙ୍କର ବିବାହ ହୋଇଥିବା ବେଳେ ୨୦୧୮ରେ ସେମାନଙ୍କର ସମ୍ପର୍କରେ ତିକ୍ତତା ଆସିଥିଲା । ବର୍ତ୍ତମାନ ଦୁହିଁଙ୍କ ପାରିବାରିକ ବିବାଦର ଅନ୍ତ ଘଟିନାହିଁ ।

Get real time updates directly on you device, subscribe now.