fbpx

ଏଥର ବାରବାଟୀ-କଟକ ଆସନରୁ ମୋକିମଙ୍କ ବଦଳରେ ପ୍ରାର୍ଥୀ ହୋଇପାରନ୍ତି ବଡ଼ ଝିଅ ସୋଫିଆ

ଓଡ଼ିଶା ଭାସ୍କର: ସରଗରମ ହୋଇଛି ବାରବାଟୀ-କଟକ ରାଜନୀତି। କାରଣ ଏହି ନିର୍ବାଚନ ମଣ୍ଡଳୀରୁ ଏଥର ୩ ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ବଦଳାଇବାକୁ ଯାଉଛନ୍ତି। ସାଲେପୁରର ପୂର୍ବତନ ବିଧାୟକ ତଥା ବିଜେପି ଛାଡି ବିଜେଡିରେ ମିଶିଥିବା ପ୍ରକାଶ ବେହେରାଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ଅଭିନେତା ଅରିନ୍ଦମ ରାୟଙ୍କୁ ଏଥର ପ୍ରାର୍ଥୀ କରିପାରେ ବିଜେପି । ସେହିପରି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ପାଇଁ କଂଗ୍ରେସ ମଧ୍ୟ ଏଠାରେ ପ୍ରାର୍ଥୀ ବଦଳାଇପାରେ ବୋଲି ଚର୍ଚ୍ଚା ହେଉଛି। ଆଉ ଏହି କାରଣଟି ହେଉଛି ସ୍ଥାନୀୟ କଂଗ୍ରେସ ବିଧାୟକ ମଦମ୍ମଦ ମୋକିମଙ୍କ ପ୍ରାର୍ଥୀତ୍ୱ ଏବେ ଅଦାଲତ ଉପରେ ଝୁଲୁଛି। ଯାହାକୁ ନେଇ ଏବେ ଦଳ ଦ୍ୱନ୍ଦ୍ୱରେ ରହିଛି, ଏଣୁ ମୋକିମଙ୍କ ବଦଳରେ ତାଙ୍କ ଝିଅ ସୋଫିଆ ଫିରଦୋସଙ୍କୁ ଏଥର ପ୍ରାର୍ଥୀ କରିପାରେ କଂଗ୍ରେସ।

ବର୍ତ୍ତମାନର ବାରବାଟୀ-କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ହେଉଛନ୍ତି ସୋଫିଆ ଫିରଦୋସ। ସୋଫିଆ ଏବେ ମେଟ୍ରୋ ଗାର୍ଡେନ ଇଷ୍ଟେଟ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି। ଏଥିସହ ସେ କ୍ରେଡ଼ାଇ ଭୁବନେଶରର ମଧ୍ୟ ସଭାପତି ଅଛନ୍ତି। ତେବେ ଏକ ବଡ଼ ବ୍ୟବସାୟୀ କମ୍ପାନୀର ନେତୃତ୍ୱ ନେଉଥିବା ସୋଫିଆ ଏବେ କଟକ ବାରବାଟୀ ଆସନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ବାପାଙ୍କ ଗଡ଼ ସମ୍ଭାଳିବା ପାଇଁ ଝିଅ ସୋଫିଆ ଏବେ ଅଣ୍ଟା ଭିଡୁଥିବା କୁହାଯାଉଛି। ଯାହା ବାରବାଟୀ-କଟକ ରାଜନୀତିକୁ ବେଶ ସରଗରମ କରିଛି।

ସୂଚନା ଥାଉକି, ବାରବାଟୀ-କଟକ ଆସନରୁ ୨୦୧୯ରେ ମୋକିମ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ୫୦ହଜାର ଭୋଟ ପାଇ ବିଜୟୀ ହୋଇଥିଲେ। ହେଲେ ଭିଜିଲାନ୍ସ ଦୁର୍ନୀତି ମାମଲାରେ ମାନ୍ୟବର ହାଇକୋର୍ଟ ଏଥର ମୋକିମଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଇଛନ୍ତି। ଏଣୁ ମୋକିମ, ଏହି ରାୟ ବିରୋଧରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଯଦି ସୁପ୍ରିମକୋର୍ଟ ତାଙ୍କୁ ଆଶ୍ୱସ୍ତି ନ ଦିଅନ୍ତି ତେବେ ମୋକିମ ନିର୍ବାଚନ ଲଢି ପାରିବେନି। ତେଣୁ ଯଦି ଏହି ପରିସ୍ଥିତି ଲାଗି ରୁହେ ଏବଂ କୋର୍ଟଙ୍କ ତରଫରୁ ଆଶ୍ୱସ୍ତି ନ ମିଳେ ତେବେ କଟକ ବାରବାଟୀ ଆସନରୁ କଂଗ୍ରେସ ସୋଫିଆଙ୍କୁ ମୈଦାନକୁ ଓହ୍ଲାଇ ପାରେ। ଫଳରେ ପ୍ରାର୍ଥୀ ଅଦଳ ବଦଳକୁ ନେଇ ଏଥର ବାରବାଟୀ-କଟକ ଏକ ରୋଚକ ଲଢେଇ ଦେଖିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

 

Get real time updates directly on you device, subscribe now.