fbpx

ସରିଲା ବିଧାନସଭା ବଜେଟ୍‌ ଅଧିବେଶନ, ଗୃହ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଗତ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ବଜେଟ୍‌ ଅଧିବେଶନ ସୋମବାର ଶେଷ ହୋଇଛି । ଚଳିତମାସ ୪ ତାରିଖରେ ଅଧିବେଶନ ଶେଷ ହେବାକୁ ଥିବା ବେଳେ ଏହାର ୩ ଦିନ ପୂର୍ବରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ପ୍ରଥମ ଦିନରେ ୨ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍‌ ଅର୍ଥମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଉପସ୍ଥାପନ କରିଥିଲେ । ଅଧିବେଶନର ୨୦ଟି କାର୍ଯ୍ୟଦିବସ ମଧ୍ୟରେ ୧୧ଟି ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଥିଲା । ୮ଟି ବିଲ୍‌ ଉପସ୍ଥାପନ କରାଯାଇଥିବାବେଳେ ୭ଟି ବିଲ୍‌ ପାରିତ ହୋଇଥିଲା । ୨୧ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିବାବେଳେ ୨୩ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ ଦ୍ୱାରା ପାରିତ ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କପାଇଁ ଗୃହରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଥିଲା ।

ସେହିପରି ଶନିବାର ଗୃହରେ ବ୍ୟୟମଞ୍ଜୁରି ବିଲ୍‌ ମଧ୍ୟ ପାରିତ ହୋଇଥିଲା ।ଅଧିବେଶନର ଶେଷ ଦିନରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଥିଲା । ତେବେ ଗତ ଶନିବାର ବିଧାନସଭାରେ ସବୁଦଳର ବିଧାୟକମାନେ ସେମାନଙ୍କ ଦରମା ବୃଦ୍ଧି ପାଇଁ ଦାବି କରିଥିବାବେଳେ ଏହାର ଅନୁଧ୍ୟାନ କରିରିପୋର୍ଟ ଦେବା ପାଇଁ ବାଚସ୍ପତି ବିଜେଡ଼ିର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି । ଏହି କମିଟିରେ ବିଧାୟକ ସୁଦାମ ମାରାଣ୍ଡି, ମୋହନ ମାଝୀ, ବିଷ୍ଣୁ ସେଠୀ, ତାରାପ୍ରସାଦ ବାହିନୀପତି, ସ୍ନେହାଙ୍ଗିନୀ ଛୁରିଆ, ସୀମାରାଣୀ ନାୟକ, ମକରନ୍ଦ ମୁଦୁଲି, ରାଜନ ଏକ୍କା ଏବଂ ଲକ୍ଷ୍ମଣ ମୁଣ୍ଡା ସଦସ୍ୟ ରହିଛନ୍ତି । କମିଟିର ରିପୋର୍ଟ ପାଇବା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୭ରେ ଶେଷ ଥର ପାଇଁ ବିଧାୟକମାନଙ୍କ ଦରମା ବୃଦ୍ଧି କରାଯାଇଥିବାବେଳେ ଏବେ ସବୁ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଥିବାରୁ ଦରମା ବୃଦ୍ଧି ପାଇଁ ବିଧାୟକମାନେ ଦାବି କରିଥିଲେ । ଏପରିକି ସେମାନେ ବର୍ତ୍ତମାନ ପାଉଥିବା ମାସିକ ଦରମା୧ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, ଦରଦାମ ବୃଦ୍ଧି ସହ ବିଧାୟକମାନେ ବିଭିନ୍ନ ସାମାଜିକ, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ଖର୍ଚ୍ଚ ଅଧିକ ହେଉଛି । ତେଣୁ ନିର୍ଦ୍ଧାରିତ ଦରମାରେ ଦାୟିତ୍ୱ ତୁଲାଇବା କଷ୍ଟକର ବୋଲି ସେ ଉଲ୍ଲେଖ କରିଥିଲେ । ତାଙ୍କର ଏହି ଦାବିକୁ ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ସମର୍ଥନ ଜଣାଇଥିଲେ । ବର୍ତ୍ତମାନ ବିଧାୟକମାନେ ଦରମା ସହ ଅନ୍ୟାନ୍ୟ ଖର୍ଚ୍ଚ ମିଶି ୯୯ ହଜାର ୮୦୦ ଟଙ୍କା ପାଉଛନ୍ତି । ସେମଧ୍ୟରୁ ଦରମା କେବଳ ୩୫ ହଜାର ହୋଇଥିବାବେଳେ ଅନ୍ୟାନ୍ୟ ଭତ୍ତା ୬୫ ହଜାର ରହିଛି ।

ସେହିପରି କେତେକ ପୂର୍ବତନ ବିଧାୟକ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ପେନ୍‌ସନ ପରିମାଣ ବୃଦ୍ଧି କରିବାକୁ ଦାବି କରିଛନ୍ତି । ବର୍ତ୍ତମାନର ମିଳୁଥିବା ପେନସନ୍‌ ୩୦ ହଜାରରୁ ୫୦ ହଜାର କରିବା ପାଇଁ ସେମାନେ ଦାବି ଉପସ୍ଥାପନ କରିଥିଲେ । ସେହିରି ମେଡିସିନ୍‌ ବାବଦକୁ ମିଳୁଥିବା ସହାୟତା ରାଶି ଦୁଇ ହଜାରରୁ ୧୦ ହଜାରକୁ ବୃଦ୍ଧି କରିବା ପାଇଁ ଦାବି ରଖିଥିଲେ । ସେମାନେ ଅନ୍ୟ ରାଜ୍ୟ ବିଧାୟକଙ୍କ ତୁଳନାରେ କମ୍‌ ଦରମା ପାଉଛନ୍ତି ବୋଲି ଅଭିଯୋଗ ଆଣିଥିଲେ । ଏପରିକି ତେଲେଙ୍ଗାନାର ବିଧାୟକମାନେ ମାସିକ ଦରମା ଓ ଭତ୍ତା ମିଶି ୨ ଲକ୍ଷ ୭୫ ହଜାର ଟଙ୍କା ପାଉଥିବାବେଳେ ୫ ରାଜ୍ୟରେ ଦରମା ୨ ଲକ୍ଷ ରହିଥିବା ଉଲ୍ଲେଖ କରିଥିଲେ ।

Get real time updates directly on you device, subscribe now.