ପତ୍ନୀଙ୍କୁ ଅତ୍ୟଧିକ ଭଲ ପାଇବା ପଡ଼ିଲା ମହଙ୍ଗା: ଯୁବକ ହେଲେ ଏମିତି ହୀନସ୍ତା

ପତି-ପତ୍ନୀଙ୍କ ମଧ୍ୟରେ କଳହ ଓ ବିଛେଦ ଆଜିକାଲି ଏକ ସାଧାରଣ ସମସ୍ୟା । ତେବେ ଦମ୍ପତିଙ୍କ ମଧ୍ୟରେ କଳହ ବିଭିନ୍ନ କାରଣକୁ ନେଇ ଉପୁଜିଥାଏ । ଯାହାର ହେଲେ ଜଣଙ୍କର ଦୋଷ ଥାଏ । କିନ୍ତୁ ୟୁଏଇରେ ପତି-ପତ୍ନୀଙ୍କ ମଧ୍ୟରେ ଏକ ଅଜବ କାରଣକୁ ନେଇ ବିବାଦ ସୃଷ୍ଟି ହୋଇଛି । ପତ୍ନୀଙ୍କୁ ତାଙ୍କ ପତି ବହୁତ ଭଲ ପାଆନ୍ତି । ତେଣୁ ପତ୍ନୀ ଏଥିରେ ଅସନ୍ତୁଷ୍ଟ ହୋଇ ପତିଙ୍କୁ ଛାଡ଼ପତ୍ର ଦେବାକୁ କୋର୍ଟ ନୋଟିସ୍ ପଠାଇଛନ୍ତି । ଅତ୍ୟଧିକ ଭଲପାଇବା ଜଣଙ୍କ ପାଇଁ କେତେ ଭୟଙ୍କର ହୋଇପାରେ ତାହା ଏହି ଦମ୍ପତିଙ୍କ ଘଟଣାରୁ ସ୍ପଷ୍ଟ ହୋଇଛି ।

ଜଣାପଡ଼ିଛି ଯେ, ପତି ଓ ପତ୍ନୀ ଏକ ବର୍ଷ ପୂର୍ବରୁ ପରସ୍ପରକୁ ବିବାହ କରିଥିଲେ । ପତି ତାଙ୍କୁ ଅତ୍ୟଧିକ ଭଲ ପାଉଥିବାରୁ ପତ୍ନୀ ଜଣକ ପ୍ରତାରିତ ହେଉଥିବା ଅନୁଭବ କରିଥିଲେ । ସେ ପତିଙ୍କ ଠାରୁ ଦୂରେଇବା ପାଇଁ ବାଧ୍ୟ ହୋଇ କୋର୍ଟର ଆଶ୍ରୟ ନେଇଥିଲେ । ତେବେ ମହିଳା ଜଣଙ୍କ ପତିଙ୍କୁ ଛାଡ଼ପତ୍ର ଦେବା ନେଇ ଆଉ କିଛି କାରଣ ମଧ୍ୟ ରହିଛି ।

ମହିଳା ଜଣକ କହିଛନ୍ତି ଯେ, ପତି କେବେ ବି ତାଙ୍କ ସହ ଝଗଡ଼ା କରିନାହାନ୍ତି, ସର୍ବଦା ତାଙ୍କୁ ସହଯୋଗ କରିଆସିଛନ୍ତି । ମହିଳା ଜଣକ ପତିଙ୍କୁ ଓଜନ ବଢ଼ାଇବାକୁ କହିବାରୁ ପତି ଅଧିକ ଡାଏଟ୍ ସହିତ ବ୍ୟାୟାମ କରିବାକୁ ଲାଗିଲେ । ଫଳରେ ଏଥିଯୋଗୁଁ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗିଯାଇଥିଲେ ମଧ୍ୟ ସେ ଏ ବିଷୟରେ କେବେ ବି ଅଭିଯୋଗ କରିନଥିଲେ । ଜଣେ ବ୍ୟକ୍ତି ଏତେ ଦୟାଳୁ କିପରି ହୋଇପାରିବ ବୋଲି ପତ୍ନୀ କହିଛନ୍ତି । ତେବେ ଯୁବକ ଜଣକ କହିଛନ୍ତି ଯେ, ସେ କୌଣସି ଭୁଲ କରିନାହାନ୍ତି, ସେ ଜଣେ ଆଦର୍ଶ ପତି ହେବାକୁ ଚାହିଁଥିଲେ । ତାଙ୍କ ପତ୍ନୀଙ୍କୁ ତାଙ୍କ ପାଖକୁ ଫେରାଇ ଦେବାକୁ ସେ କୋର୍ଟଙ୍କୁ ନିବେଦନ କରିଥିବା ଜଣାଯାଇଛି ।