fbpx

ଚାକିରି ଅବସ୍ଥା ନ କହିବା ଭଲ: ଖାଲି ଅଛି ମାତ୍ର ଗୋଟିଏ ପଦ, ଆବେଦନ କଲେ ୨୯୦୦ରୁ ଅଧିକ ପ୍ରାର୍ଥୀ, ଅଫିସ ବାହାରେ ଲାଗିଲା ଲମ୍ବା ଲାଇନ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବେକାରୀ ଭାରତରେ ଏକ ମୁଖ୍ୟ ସମସ୍ୟା । ଆଜି ବି ଲକ୍ଷ ଲକ୍ଷ ଯୁବକ, ଯୁବତୀ ପାଠ ପଢ଼ି ବେରୋଜଗାର ହୋଇ ରହିଛନ୍ତି । ତେବେ ଦେଶରେ ନିଯୁକ୍ତିର ସ୍ଥିତି କ’ଣ ତା’ର ଏକ ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି । ଗୋଟିଏ ପଦ ପାଇଁ ୨୯୦୦ରୁ ଅଧିକ ପ୍ରାର୍ଥୀ ଆବେଦନ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ପଦରେ ଚାକିରି କରିବା ପାଇଁ ଅଫିସ ବାହାରେ ଆଶାୟୀଙ୍କ ପ୍ରବଳ ଭିଡ଼ ଜମିଥିଲା ।

ସୂଚନା ମୁତାବକ, ଆମେରିକୀୟ ବହୁରାଷ୍ଟ୍ରୀୟ କମ୍ପାନୀ କୋଗ୍ନିଜାଣ୍ଟ ପକ୍ଷରୁ ନିକଟରେ ପୁଣେରେ ଏକ ନିଯୁକ୍ତି ପ୍ରକାଶ ପାଇଥିଲା । ଗୋଟିଏ ପଦ ପାଇଁ ଚାକିରି ବାହାରିଥିବା ବେଳେ ସେଥିରେ ହଜାର ହଜାର ପ୍ରାର୍ଥୀ ଆବେଦନ କରିଥିଲେ । ଅଫିସ ବାହାରେ ଆବେଦନକାରୀଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା । ପୁଣେର ହିଞ୍ଜେବାଡ଼ି ଅଫିସରେ ଉକ୍ତ ନିଯୁକ୍ତି ପ୍ରକ୍ରିୟା ଚାଲିଥିଲା ।

ଜୁନିୟର ଡେଭଲପର ପାଇଁ ଗୋଟିଏ ପଦ ଖାଲି ଥିବାବେଳେ ୨୯୦୦ରୁ ଅଧିକ ପ୍ରାର୍ଥୀ ଆବେଦନ କରିଥିଲେ । ପ୍ରତି ପ୍ରାର୍ଥୀ ହାତରେ ନିଜ ନିଜର ବାୟୋଡାଟାର ହାର୍ଡକପି ଧରିଥିବା ଦେଖାଯାଇଥିଲା । ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ଦେଖିବା ପରେ ୟୁର୍ଜ ଭିନ୍ନ ଭିନ୍ନ କମେଣ୍ଟ ଦେଇଥିଲେ । ଜନସଂଖ୍ୟା ବିସ୍ଫୋରଣର ଏହା ପରିଣାମ ବୋଲି ଜଣେ ୟୁଜର୍ସ କହିଥିବା ବେଳେ ଦେଶରେ ଇଞ୍ଜିନିୟର ଗ୍ରାଜୁଏଟଙ୍କ ଅବସ୍ଥା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଆଉ ଜଣେ କହିଥିଲେ ।

ବ୍ଲୁମବର୍ଗ ରିପୋର୍ଟ ମୁତାବକ, ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ) ଆଧାରରେ ଗତ ବର୍ଷ ଅକ୍ଟୋବର ମାସରେ ଭାରତର ବେକାରୀ ହାର ଦୁଇ ବର୍ଷରେ ସର୍ବାଧିକ ସ୍ତର ୧୦.୦୯ ପ୍ରତିଶତରେ ପହଞ୍ଚିଥିଲା । ତେବେ ଦିନକୁ ଦିନ ଭାରତ ବିକାଶମୁହାଁ ହେଉଥିବା ବେଳେ ଏଭଳି ବେରୋଜଗାରୀ ସ୍ଥିତିକୁ ଲାଇନକୁ ଆଣିବା ଏକ ବଡ଼ ପ୍ରଶ୍ନ ବୋଲି ରିପୋର୍ଟରେ କୁହାଯାଇଥିଲା ।

Get real time updates directly on you device, subscribe now.