fbpx

ଓଡ଼ିଶାର ୬ ହଜାରରୁ ଅଧିକ ଗ୍ରାମରେ ନାହିଁ ମୋବାଇଲ ଓ ଇଣ୍ଟରନେଟ ସେବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନର ଡିଜିଟାଲ ଯୁଗରେ ଅଧିକାଂଶ ଲୋକଙ୍କ ପାଖରେ ମୋବାଇଲ ଉପଲବ୍ଧ ରହିଥିବା ନେଇ ଅନୁମାନ କରାଯାଉଥିଲେ ହେଁ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ସାମ୍ନାକୁ ଆସିଛି । ସମଗ୍ର ଦେଶରେ ଥିବା ମୋଟ ୫ ଲକ୍ଷ ୯୭ ହଜାର ୬୧୮ ଗ୍ରାମ ମଧ୍ୟରୁ ୨୫ ହଜାର ୬୭ଟି ଗ୍ରାମରେ ମୋବାଇଲ ସଂଯୋଗ ନାହିଁ । ଲୋକସଭାରେ ଟେଲିକମ୍ ସର୍ଭିସ ପ୍ରୋଭାଇଡର୍ସ (ଟିଏସପି)ଙ୍କ ଉଦ୍ଦେଶ୍ୟରେ ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ଏପରି ତଥ୍ୟ ପ୍ରଦାନ କରାଯାଇଛି । ୪ ପ୍ରତିଶତ ଗ୍ରାମରେ ମୋବାଇଲ ସେବା ଉପଲବ୍ଧ ନଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି ।

ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ମୋବାଇଲ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଗତ ୨୦୦୨ ମସିହାରେ ୟୁନିଭର୍ସାଲ ସର୍ଭିସ୍ ଓବ୍ଲିଗେସନ ଫଣ୍ଡ (ୟୁଏସଓଏଫ) ନାମରେ ଏକ ସ୍କିମ୍ ଲଞ୍ଚ କରାଯାଇଥିଲା । ଇଣ୍ଟରନେଟ ସେବା ନଥିବା ପ୍ରାୟ ୧୧ ହଜାର ଗ୍ରାମକୁ ଏହି ଯୋଜନାରେ ସାମିଲ୍ କରାଯାଇଥିଲା । ତେବେ ସରକାରୀଙ୍କ ପକ୍ଷରୁ ୱାଇଫାଇ ହଟସ୍ପଟ ସେବା କାର୍ଯ୍ୟକାରୀ ପରେ ମାତ୍ର ୫୧ ପ୍ରତିଶତ ସେବା ଲୋକଙ୍କ ନିକଟରେ ପହଞ୍ଚି ପାରିଛି । ଗତ ଜାନୁଆରୀ ସୁଦ୍ଧା ଭାରତନେଟ ପ୍ରୋଜେକ୍ଟ ମାଧ୍ୟମରେ ୧ ଲକ୍ଷ ୪ ହଜାର ୨୫୯ଟି ଗ୍ରାମପଞ୍ଚାୟତରେ ୱାଇଫାଇ ସେବା ଆରମ୍ଭ ହୋଇଥିଲା । ତନ୍ମଧ୍ୟରୁ ମାତ୍ର ୫୩ ହଜାର ୯୧୩ଟି ପଞ୍ଚାତରେ ୱାଇଫାଇ ସେବା କାର୍ଯ୍ୟକାରୀ ହୋଇଛି ।

ତେବେ ଓଡ଼ିଶାର ୬ ହଜାର ୯୯ଟି ଗ୍ରାମରେ ଇଣ୍ଟରନେଟ ସଂଯୋଗ ନାହିଁ, ଯାହାକି ସମଗ୍ର ଭାରତବର୍ଷରେ ସର୍ବାଧିକ । ସେହିପରି ଅରୁଣାଚଳ ପ୍ରଦେଶରେ ୨୨୨୩ଟି, ମଧ୍ୟପ୍ରଦେଶରେ ୨୬୧୨ଟି, ମହାରାଷ୍ଟ୍ରରେ ୨୩୨୮ଟି, ଆନ୍ଧ୍ରପ୍ରଦେଶରେ ୧୭୮୭ଟି, ଝାରଖଣ୍ଡରେ ୧୧୪୪ଟି ଗ୍ରାମରେ ଇଣ୍ଟରନେଟ ସେବା ନାହିଁ । କେରଳ, ପଞ୍ଜାବ, ତାମିଲନାଡ଼ୁ ଓ ହରିୟାଣା ପରି ରାଜ୍ୟଗୁଡ଼ିକରେ ମୋବାଇଲ ସେବା ଉତ୍ତମ ମାନର ରହିଥିବା ତଥ୍ୟରୁ ଜଣାପଡ଼ିଛି ।

Get real time updates directly on you device, subscribe now.