fbpx

ନିଶାରେ ମରିଥିବା ବ୍ୟକ୍ତିଙ୍କୁ ଦିଆ ଯିବନି କବର: ମସଜିଦ କମିଟି ନିଷ୍ପତ୍ତିର ସାଥ ଦେଲେ ଗାଁ ଲୋକେ

ନୂଆଦିଲ୍ଳୀ: ଆସାମରେ ନିଶା ବିପଦର ମୁକାବିଲା ପାଇଁ ସରକାରଙ୍କ ସହ ଏକ ମସଜିଦ କମିଟି ହାତ ମିଳାଇଛି । ଏହି ମାମଲା ନାଗାଓଁ ଜିଲ୍ଲାର ଜୁରିଆ ଗ୍ରାମରୁ ସାମ୍ନାକୁ ଆସିଛି । ଯେଉଁଠାରେ ମସଜିଦ କମିଟି ସହିତ ଗ୍ରାମବାସୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନିଶା ସେବନ ହେତୁ ମୃତ୍ୟୁବରଣ କରୁଥିବା କୌଣସି ମୁସଲମାନଙ୍କୁ କବର ଦିଆଯିବ ନାହିଁ । ଏହା ସହିତ ଯଦି ନିଶା ସେବନ ହେତୁ ଜଣେ ବ୍ୟକ୍ତି ମରିଯାଏ, ତେବେ ତାଙ୍କ ପରିବାରକୁ କୌଣସି ଆର୍ଥିକ ସହାୟତା ଦିଆଯିବ ନାହିଁ । ଗ୍ରାମବାସୀ କହିଛନ୍ତି ଯେ ଏହା ଅତ୍ୟନ୍ତ ଜରୁରୀ ପଦକ୍ଷେପ । କାରଣ ଏହା ନିଶା ସେବନ ବିରୋଧରେ ଲଢିବାରେ ସାହାଯ୍ୟ କରିବ । ଏହା ସହିତ ଯୁବପିଢିଙ୍କୁ ନିଶା ସେବନରୁ ଦୂରେଇ ରଖିବ ।

ନିଶା ସେବନ ବିରୋଧରେ ମୁକାବିଲା ଅଭିଯାନ ପାଇଁ ଉଦମାରୀ ବାଲଗୁଟିଆ ଜାମା ମସଜିଦ ନିଷ୍ପତ୍ତି ନେଇଛି । ଏହି ମସଜିଦ ନାଗାଓଁ ସହରଠାରୁ ପ୍ରାୟ ୯ କିଲୋମିଟର ଦୂରରେ ଥିବା ଜୁରିଆରେ ଅବସ୍ଥିତ । ଏହି ନିଷ୍ପତ୍ତିକୁ ଏହି ଅଞ୍ଚଳରେ ଏବଂ ରାଜ୍ୟରେ ନିଶା ବିରୋଧରେ ଲଢିବା ପାଇଁ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ମସଜିଦ କମିଟିର ସଦସ୍ୟ ଫଜଲୁଲ ହକ ମୋରୋଲ କହିଛନ୍ତି, “ଯୁବ ପିଢିକୁ ନିଶାରୁ ରକ୍ଷା କରିବା ପାଇଁ ଏହି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି । ନିଶା ସେବନ ହେତୁ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ କୌଣସି ଆର୍ଥିକ ସହାୟତା ଦିଆଯିବ ନାହିଁ ବୋଲି ପ୍ୟାନେଲ ନିଷ୍ପତ୍ତି ନେଇଛି । ଏଥି ସହ ଗ୍ରାମବାସୀ ମଧ୍ୟ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । ମସଜିଦ କମିଟି ସଦସ୍ୟ କହିଛନ୍ତି ଯେ ନିଶା ବିରୋଧରେ ଲଢେଇରେ ସରକାରଙ୍କ ସହ ହାତ ମିଳାଇବା ପ୍ରତ୍ୟେକ ବ୍ୟକ୍ତିଙ୍କ କର୍ତ୍ତବ୍ୟ ।

ଗତ ବର୍ଷ ଆସାମ ପୋଲିସ ୫୫୦ କୋଟିରୁ ଅଧିକ ମୂଲ୍ୟର ନିଶା ଜବତ କରିଛି । ୩୦୦୦ ରୁ ଅଧିକ ମାମଲା ରୁଜ୍ଜୁ ହେବା ସହ ୫୦୦୦ ରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରାଯାଇଛି । ୧୦୦ କିଲୋଗ୍ରାମରୁ ଅଧିକ ହିରୋଇନ୍, ୨.୭ ଲକ୍ଷ ବୋତଲ କଫ୍ ସିରପ, ଏବଂ ୩୯ ଲକ୍ଷରୁ ଅଧିକ ନିଷେଧ ହୋଇଥିବା ଔଷଧ ଜବତ କରାଯାଇଛି । ମୋରୋଲ କହିଛନ୍ତି, ଗତ ଏକ ବର୍ଷ ମଧ୍ୟରେ ଜୁରିଆରେ ଡ୍ରଗ୍ସ ସମ୍ବନ୍ଧୀୟ ଅନେକ ମାମଲା ସାମ୍ନାକୁ ଆସିଛି । ପୋଲିସ ବହୁ ଯୁବକଙ୍କୁ ଗିରଫ କରିଛି । ଏହି ନିଷ୍ପତ୍ତି ସମ୍ପର୍କରେ ସେ କହିଛନ୍ତି ଯେ ଏହା କେବଳ ସମାଧାନ ନୁହେଁ, ସମାଜର ମଧ୍ୟ କିଛି ଦାୟିତ୍ୱ ରହିଛିି, ଯୁବକମାନଙ୍କୁ ଏପରି ମରିବାକୁ ଦେଇ ପାରିବୁ ନାହିଁ ।

Get real time updates directly on you device, subscribe now.