fbpx

ପୁଅର ଚିତାକୁ ଡେଇଁଲା ମା’, ବିୟୋଗ ସହି ନ ପାରି ନେଲା ଏପରି ପଦକ୍ଷେପ

ମାଧେପୁରା:ବିହାର ମାଧେପୁରା ଜିଲ୍ଲା ସିଂହେଶ୍ୱର ଥାନା ଅଞ୍ଚଳରେ ଜଣେ ମା’ ନିଜ ପୁତ୍ରର ଅକାଳ ବିୟୋଗକୁ ସହ୍ୟ କରି ନ ପାରି ତା’ର ଜଳନ୍ତା ଚିତାକୁ ଡେଇଁ ପଡିଛି । ଯଦିଓ ଗ୍ରାମବାସୀ ତାଙ୍କ ତୁରନ୍ତ ଅଗ୍ନି ମଧ୍ୟରୁ ଉଦ୍ଧାର କରି ଆଣିଥିଲେ ତଥାପି ତାଙ୍କ ଶରୀରର ଅର୍ଦ୍ଧାଧିକ ଅଂଶ ପୋଡି ଯାଇଛି ଓ ଏବେ ସେ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଏହିପରି ଏକ ମର୍ମନ୍ତୁଦ ଘଟଣା ସୁଖାସନ ପଞ୍ଚାୟତର ଶିବଦୟାଲପୁର ଗ୍ରାମରେ ଘଟିଛି । ଏଠାରେ ସୋମବାର ରାତିରେ ସିକେନ୍ଦ୍ର ଯାଦବଙ୍କ ପୁଅ କରଣ କୌଣସି କାରଣରୁ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା । ମଙ୍ଗଳବାର ସକାଳେ ଏହି ଘଟଣା ଗାଁରେ ବ୍ୟାପିଯିବା ପରେ ଶୋକର ଛାୟା ଖେଳିଯାଇଥିଲା । ଦ୍ୱିପ୍ରହର ସୁଦ୍ଧା ଶବ ସତ୍କାର କରି ସବୁ ଲୋକ ଘରକୁ ଫେରି ଆସିଥିଲେ । ଶବ ପୁରା ଜଳି ନ ଥିବା ବେଳେ କରଣର ମା’ କୌଣସି ଉପାୟରେ ଘରୁ ବାହାରି ଶ୍ମଶାନରେ ଯାଇ ପହଞ୍ଚି ଯାଇଥିଲେ । ଏହାରି ମଧ୍ୟରେ ଗାଁର କିଛି ଲୋକ ତାଙ୍କୁ ଦେଖି ନେଇଥିଲେ ଓ ସେମାନେ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ । ମହିଳା ଜଣକ ଶ୍ମଶାନ ଘାଟରେ ପୁଅର ଜଳନ୍ତା ଚିତା ଆଡେ ଚାହିଁଥିଲେ ଓ ଆଖି ପିଛୁଳାରେ ତା’ ମଧ୍ୟକୁ ପ୍ରବେଶ କରିଥିଲେ ।

ଗ୍ରାମବାସୀମାନେ ବହୁ କଷ୍ଟରେ ତାଙ୍କୁ ଚିତା ମଧ୍ୟରୁ ବାହାର କରିଥିଲେ ଓ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ । ଡାକ୍ତର କହିଛନ୍ତି ମହିଳାଙ୍କ ଶରୀରର ୬୦% ଅଂଶ ପୋଡିଯାଇଛି ଓ ସ୍ଥିତି ଗମ୍ଭୀର ଅଛି । ପୋଲିସ ଏବେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।

Get real time updates directly on you device, subscribe now.