fbpx

ଦେଢ ମାସର ପିଲା ପାଇଁ ବାଜିରେ ଲାଗିଲା ଜୀବନ: ଝିଅକୁ ବଞ୍ଚାଇବାକୁ ଯାଇ ମାଆଙ୍କର ହେଲା ଏମିତି ଅବସ୍ଥା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ କଳା ବାଦଲ ହୋଇ ଢାଙ୍କି ହୋଇଛି ଋଷ ସେନା । ଧମାଧମ ଆକ୍ରମଣରେ ଥରୁଛି ସାରା ୟୁକ୍ରେନ । ବାଜିରେ ଲାଗିଛି କୋଟି କୋଟି ସାଧାରଣ ଜୀବନ । ଏହି ସମୟରେ ୟୁକ୍ରେନରୁ ଆସିଛି ଏକ ଛାତିଥରା ଘଟଣା । ଛୁଆକୁ ବଞ୍ଚାଇବା ପାଇଁ ମାଆ ମୃତ୍ୟୁ ସହ ଲଢୁଥିବାର ଜାଣିବାକୁ ମିଳିଛି । ପୁଣିଥରେ ମାଆର ମମତା ଆଗରେ ହାର ମାନିଛି ଆଧୁନିକ ହତିଆର ଏବଂ କୌଶଳ । ଏମିତିକି ମାଆକୁ ଲଙ୍ଘି ଝିଅ ଶରୀରକୁ ଚୁଇଁ ପାରିନି ଋଷର ଭୟାନକ ରକେଟ । ତେବେ ବିସ୍ଫୋରଣର ପ୍ରଭାବରେ ମହିଳା ଜଣକ ଗୁରୁତର ହୋଇଛନ୍ତି ।

ଋଷର ରକେଟ ମାଡରେ ଘର ଦୋହଲି ଯାଇଥିଲା ଏବଂ ସବୁଆଡେ ବିଛାଡି ହୋଇ ପଡିଥିଲା କାଚ । କିନ୍ତୁ ମହିଳା ଜଣକ ଝିଅକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି । ଝିଅକୁ ତଳେ ପକାଇ ଦେଇ ତା ଶରୀରକୁ ସମ୍ପୂର୍ଣ୍ଣ ଭାବରେ ଢାଙ୍କି ଦେଇଥିଲେ ୟୁକ୍ରେନର ୨୭ ବର୍ଷୀୟ ଏହି ମହିଳା ଜଣକ । ନିଜ ଶରୀର ରକ୍ତ ଜୁଡୁବୁଡୁ ହୋଇଥିଲେ ମଧ୍ୟ ଝିଅକୁ ବଞ୍ଚାଇବାରେ ସଫଳ ହୋଇଛନ୍ତି ଓଲଗା । ତାଙ୍କ ଦେହରୁ ରକ୍ତ ବୋହି ଝିଅର ସାରା ଶରୀରରେ ଭିଜି ଯାଇଥିଲା । ତେଣୁ ସେ ନିଜେ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏହା କାହା ରକ୍ତ ବୋଲି । ରକ୍ତ ଦେଖି ଝିଅ ପ୍ରାଣ ହରାଇଥିବା ଭାବି ନେଇଥିଲେ ଓଲଗା । କିନ୍ତୁ ପତି ଦିମିତ୍ରୋ ଝିଅକୁ ଦେଖି ଝିଅ ସୁରକ୍ଷିତ ଥିବା କହିଥିଲେ ।

ଝିଅ ଭିକ୍ଟୋରିଆକୁ ବଞ୍ଚାଇବାକୁ ଯାଇ ଓଲଗାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଦେଖିବାକୁ ମିଳିଛି । କିନ୍ତୁ ତାଙ୍କର ଆପ୍ରାଣ ଚେଷ୍ଟାରେ ଝିଅ ଦେହରେ କୌଣସି କ୍ଷତଚିହ୍ନ ହୋଇ ନଥିବା ଡାକ୍ତରଙ୍କ ତରଫରୁ କୁହାଯାଇଛି ।

Get real time updates directly on you device, subscribe now.