ବିଏମସି ନିର୍ବାଚନ: ୱାର୍ଡ ନମ୍ବର ୫୩ ରୁ କର୍ପୋରେଟର ପଦବୀ ପାଇଁ ନାମାଙ୍କନ ଭରିଲେ ମହାମାୟା ସ୍ୱାଇଁ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ଆରମ୍ଭ ହୋଇଛି ପୌର ନିର୍ବାଚନ ପ୍ରସ୍ତୁତି । ଚଳିତ ମାସ ୨୪ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ପୌର ନିର୍ବାଚନ । ରାଜ୍ୟର ୩ ଟି ମହାନଗର ନିଗମ ଏବଂ ୧୦୬ଟି ଏନଏଏସିରେ ହେବ ପୌର ନିର୍ବାଚନ ।

ସେପଟେ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ସୋମବାର ନାମାଙ୍କନ ପତ୍ର ଦାଖଲ କରିବାର ରହିଛି ଶେଷ ତାରିଖ । ଏହାକୁ ଦୃଷ୍ଟିରେ ବିଏମସିର ପ୍ରତି ୱାର୍ଡର ଆଶାୟୀ କର୍ପୋରେଟର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ୱାର୍ଡ ନଂ ୫୩ ର କର୍ପୋରେଟର ପଦ ପାଇଁ ନାମାଙ୍କନ ଭରିଛନ୍ତି ବିଜେଡି ନେତ୍ରୀ ତଥା ୱାର୍ଡର ପୂର୍ବତନ କର୍ପୋରେଟର ଶ୍ରୀମତୀ ମହାମାୟା ସ୍ୱାଇଁ । ଶ୍ରୀମତୀ ସ୍ୱାଇଁ ଆଜି ନିଜ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ ପାଇଁ ଅତିରିକ୍ତ ଜିଲ୍ଲାପାଳକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସ୍ଥାନୀୟ ବିଧାୟକଙ୍କ ପ୍ରତିଶ୍ରୁତି ପରେ ନାମାଙ୍କନ ଦାଖଲ କରିଥିଲେ ଶ୍ରୀମତୀ ମହାମାୟା ସ୍ୱାଇଁ । ଉଲ୍ଲେଖଯୋଗ୍ୟ, ଶ୍ରୀମତୀ ସ୍ୱାଇଁ ଉକ୍ତ ୱାର୍ଡରୁ ଦୀର୍ଘ ଏକ ଦଶନ୍ଧି ଧରି ବିଜୟୀ ହୋଇଆସୁଛନ୍ତି । ତେବେ ପାର୍ଟୀର ସହଯୋଗ ଏବଂ ଲୋକମାନଙ୍କ ସହଯୋଗ ନେଇ ମଇଦାନକୁ ଓହ୍ଲାଇଛନ୍ତି ବୋଲି କହିଛନ୍ତି ଶ୍ରୀମତୀ ସ୍ୱାଇଁ ।