SSC MTS ଓ ହାବିଲଦାର ନିଯୁକ୍ତି: ଘୋଷଣା ହେଲା ପରୀକ୍ଷା ତାରିଖ

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ (ଏସଏସସି) ତରଫରୁ ମଲ୍ଟିଟାସ୍କିଂ (ଏମଟିଏସ) ଓ ହାବିଲଦାର ନିଯୁକ୍ତି ୨୦୨୪କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ନିଯୁକ୍ତିର ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖରୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ପରୀକ୍ଷା ସମ୍ବନ୍ଧୀୟ ସବିଶେଷ ତଥ୍ୟ ଜାଣିବା ପାଇଁ ନିୟମିତ ବ୍ୟବଧାନରେ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି । ଏନେଇ ଏସଏସସି ତରଫରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ମୋଟ ୯୫୮୩ ଜଣ ପ୍ରାର୍ଥୀଙ୍କୁ ହାବିଲଦାର ଓ ଏମଟିଏସ୍ ପଦରେ ନିଯୁକ୍ତି ଦିଆଯିବ । ଜୁନ୍ ୨୭ରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ୩ରେ ସରିଥିଲା । ପ୍ରାର୍ଥୀମାନେ ଚଳିତ ମାସ ୧୬ରୁ ୧୭ ତାରିଖ ମଧ୍ୟରେ ସେମାନଙ୍କର ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ । ଏହାପରେ ଧାର୍ଯ୍ୟ ତାରିଖ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ମୋଡ଼ରେ ପରୀକ୍ଷା ହେବ ।

ଏହି ନିଯୁକ୍ତିରେ ମହିଳା, ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁଡି ଓ ଇଏସଏମ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଥିବା ବେଳେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ରହିଥିଲା । ଏମଟିଏସ ପଦ ପାଇଁ ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୨୫ ବର୍ଷ ମଧ୍ୟରେ ରହିଥିବା ବେଳେ ହାବିଲଦାର ପଦ ପାଇଁ ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୨୭ ବର୍ଷ ମଧ୍ୟରେ ରହିଥିଲା । ଏସସି, ଏସଟି, ଓବିସି, ପିଡବ୍ଲ୍ୟୁଡି, ଏକ୍ସ-ସର୍ଭିସମେନଙ୍କ ପାଇଁ ବୟସ କୋହଳ କରାଯିବ । ୨୦୨୪ ମସିହା ଅଗଷ୍ଟ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ହିସାବକୁ ନିଆଯିବ । କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ୟୁନିଭରସିଟିରୁ ମାଟ୍ରିକ ପାସ୍ କରିଥିବା ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିଥିଲେ ।

ଲିଙ୍କ: https://ssc.gov.in/api/attachment/uploads/masterData/NoticeBoards/IMPORTANT%20NOTICE-MTS-2024_13824.pdf