fbpx

ଭିଜିଲାନ୍ସ ଉପରେ ମର୍ଡର କେସ! ପୁଅକୁ ମିଛ କେସରେ ହତ୍ୟା କରିଥିବା ଅଭିଯୋଗ

ଚଣ୍ଡୀଗଡ଼: ଜଣେ ଆଇଏସଙ୍କ ଗିରଫଦାରୀକୁ ଏବେ ପଞ୍ଜାବରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଆଇଏସଙ୍କ ଗିରଫଦାରୀ ପରେ ତାଙ୍କ ପୁଅଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଘଟଣାରେ ଆଇଏସଙ୍କ ପତ୍ନୀ, ଭିଜିଲାନ୍ସ ଟିମ୍ ତାଙ୍କ ପୁଅକୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଉ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।

ସୂଚନା ଅନୂଯାୟୀ, ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଆଇଏଏସ ଅଧିକାରୀ ସଞ୍ଜୟ ପୋପଲୀଙ୍କ ୨୭ ବର୍ଷୀୟ ପୁଅ କାର୍ତ୍ତିକ ପୋପଲୀ ନିଜ ଘରେ ପଞ୍ଜାବ ଭିଜିଲାନ୍ସ ଟିମ୍ ର ଉପସ୍ଥିତିରେ ମୁଣ୍ଡକୁ ଗୁଳି ବାଜିବା ଯୋଗୁଁ ମୃତ୍ୟୁ ହୋଇଛି । ପୋଲିସର କହିବା ଅନୂଯାୟୀ କାର୍ତ୍ତିକ ଆତ୍ମହତ୍ୟା କରିଛନ୍ତି, ଯେତେବେଳେକି ପରିବାର ଲୋକ ଭିଜିଲାନ୍ସ ଟିମ୍ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ପୋପଲୀଙ୍କ ପତ୍ନୀ ତଥା କାର୍ତ୍ତିକଙ୍କ ମା’ କହିଛନ୍ତି ଯେ ଭିଜିଲାନ୍ସ ଅଧିକାରୀ ଆମ ଉପରେ ଚାପ ପକାଉଥିଲେ ଏବଂ ସେମାନେ ଯେଉଁ ମାମଲା ରୁଜୁ କରିଥିଲେ ତାହାକୁ ସ୍ୱୀକାର କରିବା ସହ ଭୁଲ୍ ବୟାନ ଦେବାକୁ ଚାପ ପକାଉଥିଲେ ଏମିତିକି ଘରେ କାମ କରୁଥିବା ଲୋକଙ୍କୁ ମଧ୍ୟ ବାଧ୍ୟ କରିଥିଲେ । ସେ ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀଙ୍କୁ ଅଦାଲତରେ ହାଜର କରାଯିବାର ଥିଲା କିନ୍ତୁ ଭିଜିଲାନ୍ସ ଟିମ୍ ତାଙ୍କ ଘରକୁ ଆସିଥିଲେ ଏବଂ କାର୍ତ୍ତିକଙ୍କୁ ଉପରକୁ ନେଇଯାଇଥିଲେ ଏବଂ ତାଙ୍କୁ ମାନସିକ ପ୍ରତାଡ଼ନା ଦେଇଥିଲେ । ମୋର ୨୭ ବର୍ଷର ପୁଅ ଚାଲିଗଲା । ସେମାନେ ତାକୁ ମୋ ଠାରୁ ଛଡ଼ାଇନେଲେ । ସେ କହିଛନ୍ତି ଯେ ମିଥ୍ୟା ମାମଲା କରିବା ପାଇଁ ସେମାନେ ମୋ ପୁଅକୁ ମୋ ଠାରୁ ଛଡ଼ାଇନେଲେ । ନ୍ୟାୟ ଦାବି କରିବା ସହ ସେ ଏନେଇ ଅଦାଲତର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

ପୋପଲୀଙ୍କ ପଡ଼ୋଶୀ କହିଛନ୍ତି ଯେ ସଞ୍ଜୟ ପୋପଲୀଙ୍କ ଉପରେ ଅଭିଯୋଗକୁ ସ୍ୱୀକାର କରିବାକୁ ଭିଜିଲାନ୍ସ ଟିମ୍ ଚାପ ପକାଉଥିଲା । ମହିଳା ଜଣକ କହିଛନ୍ତି ଯେ କାର୍ତ୍ତିକଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଥିଲେ । ସେମାନେ କାର୍ତ୍ତିକଙ୍କୁ ହତ୍ୟା କରିଛନ୍ତି ।

ଚଣ୍ଡୀଗଡ଼ର ବରିଷ୍ଠ ପୋଲିସ ଅଧିକାରୀ କୁଲଦୀପ ସିଂହ ଚହଲ କହିଛନ୍ତି ଯେ ଯାଞ୍ଚରେ ସାମ୍ନାକୁ ଆସିଛି ଯେ ୨୭ ବର୍ଷୀୟ କାର୍ତ୍ତିକ ନିଜକୁ ନିଜେ ଗୁଳି ମାରିଛନ୍ତି । ସେ କହିଛନ୍ତି ମାମଲାର ଯାଞ୍ଚ ଚାଲିଛି । କାର୍ତ୍ତିକ ପୋପଲୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ଭିଜିଲାନ୍ସ ବ୍ୟୁରୋ ଡିଏସପି ଅଜୟ କୁମାର କହିଛନ୍ତି ଯେ ଏହା ଯାଞ୍ଚର ବିଷୟ କିନ୍ତୁ, ହତ୍ୟା ଅଭିଯୋଗ ଭିତ୍ତିହୀନ । ସେ କହିଛନ୍ତି ଟିମ୍ ସେଠାକୁ ସାମଗ୍ରୀ ଜବତ କରିବାକୁ ଯାଇଥିଲା । ଆମେ ଘର ଭିତରେ ପାଦବି ରଖିନାହୁଁ । ଆମକୁ ଘଟଣା ବିଷୟରେ ପରେ ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ, ପ୍ରକୃତରେ ପଞ୍ଜାବ ପୋଲିସର ଭିଜିଲାନ୍ସ ଟିମ୍ ନୱାସହରରେ ସିୱେଜ ପାଇପଲାଇନ ବିଛାଇବା ପାଇଁ ଟେଣ୍ଡର ଦେବା ପାଇଁ ଲାଞ୍ଚ ମାଗିବା ଅଭିଯୋଗରେ ସୋମବାର ଆଇଏଏସ ଅଧିକାରୀ ସଞ୍ଜୟ ପୋପଲୀଙ୍କୁ ଗିରଫ କରିଥିଲା । ପଞ୍ଜାବ ପୋଲିସ୍ ମଧ୍ୟ ଶନିବାର ଗିରଫ ହୋଇଥିବା ଆଇଏଏସ ସଞ୍ଜୟ ପୋପଲୀଙ୍କ ଘରୁ ବିପୁଳ ମାତ୍ରାରେ ସୁନା, ଚାନ୍ଦି ର ମୁଦ୍ରା, ନଗଦ ଟଙ୍କା, ମୋବାଇଲ ଫୋନ ଏବଂ ଅନ୍ୟ ଇଲେକ୍ଟ୍ରୋନିକ ଉପକରଣ ଜବତ କରିଥିଲେ ।

Get real time updates directly on you device, subscribe now.