fbpx

ମୁକେଶ ଅମ୍ବାନୀଙ୍କୁ ଜୀବନରୁ ମାରିଦେବା ଧମକ: ତେଲେଙ୍ଗାନାରୁ ୧୯ ବର୍ଷୀୟ ଅଭିଯୁକ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଧମକପୂର୍ଣ୍ଣ ଇମେଲ କରିଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଗଣେଶ ରମେଶ ବନପାରଧୀ ଭାବେ ପରିଚିତ ହୋଇଛନ୍ତି । ପୋଲିସ କହିଛି ଯେ, ୮ ନଭେମ୍ବର ପର୍ଯ୍ୟନ୍ତ ତାଙ୍କୁ ପୋଲିସ କଷ୍ଟୋଡିକୁ ପଠାଯାଇଛି । ଗତ ସପ୍ତାହରେ ଅମ୍ବାନୀ ପାଞ୍ଚଟି ଇମେଲ ପାଇଥିଲେ । ଯେଉଁଥିରେ ତାଙ୍କୁ ଟଙ୍କା ମଗାଯାଇଥିଲା । ଏଥିସହ ଜୀବନରୁ ମାରିଦେବା ଧମକ ମଧ୍ୟ ଦିଆଯାଇଥିଲା ।

ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ମୁତାବକ, ମୁମ୍ବାଇ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହା କିଛି ଯୁବକଙ୍କ ଦ୍ୱାରା ଦୁଷ୍ଟାମୀ କରାଯାଇଛି । ବର୍ତ୍ତମାନ ଏ ନେଇ ଆମର ତଦନ୍ତ ଚାଲିଛି । ମୁକେଶ ଅମ୍ବାନୀଙ୍କୁ ସମୁଦାୟ ୫ଟି ଇମେଲ ଆସିଥିଲା । ଯେଉଁଥିରେ ତାଙ୍କୁ ୪୦୦ କୋଟି ମଗାଯାଇଥିଲା । ହେଲେ ସେମାନେ କିଛି କରିବା ପୂର୍ବରୁ, ସେମାନଙ୍କ ମଧ୍ୟରୁ ଜଣକୁ ଗିରଫ କରାଯାଇଛି ।

ପୋଲିସ କହିବା ଅନୁଯାୟୀ, ସେମାନେ ମୁକେଶ ଅମ୍ବାନୀଙ୍କୁ କରାଯାଇଥିବା ଇମେଲର ଆଇପି ଅଡ୍ରେସର ଯାଞ୍ଚ କରିଥିଲେ ଏବଂ ଅଭିଯୁକ୍ତ ଜଣକ ତେଲେଙ୍ଗାନାର ବୋଲି ଜଣାପଡିଥିଲା । ଏହାପରେ ମୁମ୍ବାଇ ପୋଲିସ ତେଲେଙ୍ଗାନା ପୋଲିସ ମାଧ୍ୟମରେ ଜଣେ ଅପରାଧୀଙ୍କୁ ଗିରଫ କରିଛି । ଏହି ଅପରାଧରେ ଅଧିକ ଲୋକ ସଂପୃକ୍ତ ଅଛନ୍ତି କି ନାହିଁ ପୋଲିସ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.