ନୂଆଦିଲ୍ଲୀ: ସଂଯୋଗ ଏମିତି ଯେଉଁଠି ପତ୍ନୀଙ୍କ ଦେହାନ୍ତ ହୋଇଥିଲା ଠିକ୍ ସେହି ସ୍ଥାନରେ ସ୍ଵାମୀ ଇହଲୀଳା ସମ୍ବରଣ କରିଛନ୍ତି। ଆମେ କହୁଛୁ ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ କଥା। ଆଜି ସକାଳେ ୮ଟା ୧୫ ମିନିଟରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଆଖି ବୁଜିଛନ୍ତି ମୁଲାୟମ ସିଂହ ଯାଦବ। ଏଥିସହ ଉତ୍ତର ପ୍ରଦେଶ ରାଜନୀତିରେ ଏକ ଯୁଗର ଅବସାନ ଘଟିଛି। ଖାସ୍ କଥା ଏହା ହେଉଛି ସେହି ସହର ଏବଂ ସେହି ହସ୍ପିଟାଲ୍, ଯେଉଁଠି ଆଜିକୁ ଠିକ୍ ୯୩ ଦିନ ପୂର୍ବେ ମୁଲାୟମଙ୍କ ପତ୍ନୀ ସାଧନା ଗୁପ୍ତା ନିଜର ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ମୁଲାୟମଙ୍କ ଦ୍ଵିତୀୟ ପତ୍ନୀ ଥିଲେ ସାଧନା। ସେ ବିଜେପି ନେତ୍ରୀ ଅପର୍ଣ୍ଣ ଯାଦବଙ୍କ ଶାଶୁ ଥିଲେ।
ଉଲ୍ଲେଖନୀୟ ୨୦୦୩ରେ ମୁଲାୟମ ସିଂହଙ୍କ ପ୍ରଥମ ପତ୍ନୀ ତଥା ଅଖିଳେଶ ଯାଦବଙ୍କ ମାଆ ମାଳତୀ ଦେବୀଙ୍କ ନିଧନ ଘଟିଥିଲା। ଏହାର କିଛି ଦିନ ପରେ ଏସପି ନେତା ନିଜଠୁ ୨୦ ବର୍ଷ ସାନ ସାଧନା ଗୁପ୍ତାଙ୍କୁ ଦ୍ଵିତୀୟ ପତ୍ନୀର ମାନ୍ୟତା ଦେଇଥିଲେ।
ସାଧନା ଗୁପ୍ତା ଇଟାଓ୍ଵାର ବିଧୁନା ତହସିଲର ବାସିନ୍ଦା। ୧୯୮୫ ଜୁଲାଇ ୪ରେ ଫାରୁକାବାଦର ଚନ୍ଦ୍ରପ୍ରକାଶ ଗୁପ୍ତାଙ୍କୁ ପ୍ରଥମ ବିବାହ କରିଥିଲେ। ଦମ୍ପତ୍ତିଙ୍କ ଔରସରୁ ୧୯୮୭ ଜୁଲାଇ ୭ରେ ଏକ ପୁତ୍ର ସନ୍ତାନଙ୍କ ଜନ୍ମ ନେଇଥିଲା। ପିଲାଟିର ନାମ ପ୍ରତୀକ ଯାଦବ ରଖାଯାଇଥିଲା। ଏହାର ଦୁଇ ବର୍ଷ ପରେ ସାଧନା ଏବଂ ଚନ୍ଦ୍ରପ୍ରକାଶଙ୍କ ବିବାହ ବିଚ୍ଛେଦ ଘଟିଥିଲା। ପରେ ସାଧନା ଗୁପ୍ତା ସମାଜବାଦୀ ପାର୍ଟିର ତତ୍କାଳୀନ ସୁପ୍ରିମୋ ମୁଲାୟମ ସିଂହ ଯାଦବଙ୍କ ସଂସ୍ପର୍ଶରେ ଆସିଥିଲେ।
କୁହାଯାଏ, ମୁଲାୟମ ସିଂହ ଯାଦବଙ୍କ ମାଆ ମୂର୍ତ୍ତି ଦେବୀ ଅସୁସ୍ଥ ରହୁଥିଲେ। ସେହି ସମୟରେ ନର୍ସିଂର ଟ୍ରେନିଂ ନେଉଥିବା ସାଧନା ଗୁପ୍ତା ଲକ୍ଷ୍ନୌର ଏକ ନର୍ସିଂ ହୋମ ଏବଂ ପୁଣି ସେଫଇ ମେଡିକାଲ କଲେଜରେ ମୂର୍ତ୍ତି ଦେବୀଙ୍କ ବହୁତ ଯତ୍ନ କରିଥିଲେ। ଦିନେ ହସ୍ପିଟାଲରେ ଅନ୍ୟ ଜଣେ ନର୍ସ ମୂର୍ତ୍ତି ଦେବୀଙ୍କୁ ଭୁଲ୍ ଇଞ୍ଜେକ୍ସନ ଦେବାକୁ ଯାଉଥିଲେ, ସେହି ସମୟରେ ଉପସ୍ଥିତ ଟ୍ରେନିଂ ନର୍ସ ତାଙ୍କୁ ଅଟକାଇଥିଲେ ଏବଂ ରାଜ୍ୟର ସବୁଠୁ ପ୍ରଭାବଶାଳୀ ରାଜନେତା ମୁଲାୟମ ସିଂହ ଯାଦବଙ୍କ ମାଆଙ୍କ ପ୍ରାଣ ରକ୍ଷା କରିଥିଲେ। ଆଉ ସେହି ନର୍ସ ଜଣକ ଥିଲେ ସାଧନା ଗୁପ୍ତା। ସେହି ଘଟଣାରେ ମୁଲାୟମ ସିଂହ ଯାଦବ ସାଧନା ଗୁପ୍ତା ପ୍ରତି ବେଶ ପ୍ରଭାବିତ ଥିଲେ। ସମୟ କ୍ରମେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ।
୨୦୦୩ରେ ମୁଲାୟମଙ୍କ ପ୍ରଥମ ପତ୍ନୀ ମାଲତୀ ଦେବୀଙ୍କ ପରଲୋକ ଘଟିଥିଲା। ଏହା ପରେ ୨୦୦୩ ମେ ୨୩ରେ ମୁଲାୟମ ସାଧନାଙ୍କୁ ନିଜର ଦ୍ଵିତୀୟ ପତ୍ନୀଙ୍କ ମାନ୍ୟତା ଦେଇଥିଲେ। ତେବେ ତାଙ୍କ ପୁଅ ପ୍ରତୀକ ଗୁପ୍ତା ରାଜନୀତିରୁ ବହୁତ ଦୂରରେ ରହିଛନ୍ତି। କିନ୍ତୁ ତାଙ୍କ ପତ୍ନୀ ଅପର୍ଣ୍ଣା ବିଷ୍ଟ ଯାଦବ ରାଜନୀତିରେ ବହୁତ ସକ୍ରିୟ ଅଛନ୍ତି।
ସୂଚନାଯୋଗ୍ୟ, ସାଧନା ଗୁପ୍ତାଙ୍କ ବୋହୂ ଅପର୍ଣ୍ଣା ବିଷ୍ଟ ଯାଦବ ସପା ଟିକେଟରେ ୨୦୧୭ ଉପ ନିର୍ବାଚନ ଲଢିଥିଲେ। ମାତ୍ର ତାଙ୍କୁ ସଫଳତା ମିଳିନଥିଲା। ପୁଣି ସେହି ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଅପର୍ଣ୍ଣା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।