CHARIDHAM

ଆନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ମୁରଲୀ ବିଜୟ, ଭାରତୀୟ ଟିମ୍‌ରେ ମିଳୁ ନଥିଲା ସ୍ଥାନ

ଚେନ୍ନାଇ: ଭାରତୀୟ ଦଳର ଷ୍ଟାଇଲିସ୍ ଓପନିଂ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ସୋମବାର ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ସେ ଏନେଇ ଘୋଷଣା କରିବା ସହିତ, ବିସିସିଆଇ, ତାମିଲନାଡ଼ୁ କ୍ରିକେଟ୍ ବୋର୍ଡ, ଚେନ୍ନାଇ ସୁପର କିଙ୍ଗସ୍ ଏବଂ ପ୍ରଶଂସକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ‘୨୦୦୨ ରୁ ୨୦୧୮ ପର୍ଯ୍ୟନ୍ତ ଯାତ୍ରା ମୋ ଜୀବନର ସର୍ବୋତ୍ତମ ଥିଲା କାରଣ ମୁଁ ଭାରତ ପାଇଁ ମୋର ଅବଦାନ ରଖିଥିଲି ବୋଲି ସେ କହିଛନ୍ତି। ‘

ଏହା ସହିତ ସେ ସମସ୍ତ ସାଥୀ ଖେଳାଳି, ପରାମର୍ଶଦାତା, ପ୍ରଶିକ୍ଷକ, ସହାୟକ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି, ଯେଉଁମାନେ ତାଙ୍କ କେଳ ଜୀବନରେ ତାଙ୍କୁ ସାହାଯ୍ୟ କରିଥିଲେ। ମୁରଲୀ ବିଜୟ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ବିଭିନ୍ନ ଲିଗରେ ବାହାରେ ଅନେକ ଭୂମିକା ପାଇଁ ପ୍ରସ୍ତୁତ ଅଛନ୍ତି, ଯଦି ତାଙ୍କୁ କୌଣସି ଦାୟିତ୍ୱ ମିଳେ ତେବେ ସେ ଏହାକୁ ସମ୍ପନ କରିବେ ବୋଲି କହିଛନ୍ତି।

ମୁରଲି ବିଜୟ ଭାରତ ପାଇଁ ୬୧ ଟେଷ୍ଟ ମ୍ୟାଚ୍ ଖେଳି ୩୯୮୨ ରନ୍‌ ସ୍କୋର କରିଥିଲେ। ଏହି ରନ୍ ସେ ୩୮.୨୮ ହାରରେ ସଂଗ୍ରହ କରିଥିଲେ, ଯେଉଁଥିରେ ୧୨ ଶତକ, ୧୫ ଅର୍ଦ୍ଧଶତକ ସାମିଲ ରହିଛି। ମୁରଲି ବିଜୟ ଭାରତ ପାଇଁ ୧୭ଟି ଦିନିକିଆ ଏବଂ ୯ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ମୁରଲି ବିଜୟ ପ୍ରଥମ ଥର ଭାରତ ପାଇଁ ୨୦୦୮ରେ ପ୍ରବେଶ କରିଥିଲେ ଏବଂ ୨୦୧୮ରେ ସେ ଭାରତ ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।

ଆଇପିଏଲ କଥା କହିଲେ ମୁରଲି ବିଜୟ ୧୦୬ ମ୍ୟାଚ୍ ଖେଳି ନିଜ ୨୬୧୯ ରନ୍ ସ୍କୋର କରିଛନ୍ତି। ଆଇପିଏଲ୍‌ରେ ସେ ଦୁଇଟି ଶତକ ମଧ୍ୟ ହାସଲ କରିଛନ୍ତି। ମୁରଲି ବିଜୟ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌, ପଞ୍ଜାବ କିଙ୍ଗସ୍ ଇଲେଭେନ୍ ଏବଂ ଦିଲ୍ଲୀ ଡେୟାର ଡେଭିଲ୍ସ ପାଇଁ ଖେଳିଛନ୍ତି।