ରାମଲାଲାଙ୍କର ମୁସଲମାନ ଭକ୍ତ: ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେଇ ମୁମ୍ବାଇରୁ ଅଯୋଧ୍ୟା ପଦାଯାତ୍ରା କରୁଥିବା ଏହି ମହିଳା କିଏ?

ନୂଆଦିଲ୍ଲୀ: ସାରା ଦେଶ ବର୍ତ୍ତମାନ ସମୟରେ ରାମମୟ ହୋଇଯାଇଛି । ବିଶେଷ କରି ଉତ୍ତରପ୍ରଦେଶର ଅଯୋଧ୍ୟା । ତେବେ ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରର ଉଦଘାଟନ ହେବାକୁ ଯାଉଛି । ରାମ ଭକ୍ତମାନେ ନିଜ ନିଜର ଶ୍ରଦ୍ଧା ଏବଂ ଭକ୍ତି ପ୍ରଦର୍ଶନ କରି ଏହି ଭବ୍ୟ ସମାରୋହରେ ଯୋଗ ଦେବା ପାଇଁ ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛନ୍ତି । ତେବେ ପ୍ରଭୁ ଶ୍ରୀରାମଙ୍କ ଠାରେ ହିନ୍ଦୁ ଏବଂ ମୁସଲମାନ ଉଭୟ ଧର୍ମର ଆସ୍ଥା ରହିଛି । ତେବେ ଏପରି ଆସ୍ଥାର ଏକ ଅନନ୍ୟ ଉଦାହରଣ ପାଲଟିଛନ୍ତି ମୁସଲମାନ ଝିଅ ଶବନମ ।

ତେବେ ପ୍ରଭୁ ଶ୍ରୀରାମଙ୍କର ଏହି ମୁସଲମାନ ଭକ୍ତ ବର୍ତ୍ତମାନ ବେଶ ଚର୍ଚ୍ଚାରେ ଅଛନ୍ତି । ଜୟ ଶ୍ରୀରାମର ସ୍ଲୋଗାନ ଦେଇ ଦେଇ ସେ ଅଯୋଧ୍ୟାରେ ପ୍ରଭୁ ରାମଙ୍କର ଦର୍ଶନ ପାଇଁ ଚାଲି ଚାଲି ଯାତ୍ରା ଆରମ୍ଭ କରିଦେଇଛନ୍ତି । ତେବେ ସେ ଏହି ମୁମ୍ବାଇରୁ ଏହି ପଦଯାତ୍ରା ଆରମ୍ଭ କରିଦେଇଛନ୍ତି । ମୁମ୍ବାଇର ବାସିନ୍ଦା ହେଲେ ୧୯ ବର୍ଷୀୟ ଶବନମ । ସେ ମୁସଲମାନ ଧର୍ମାବଲମ୍ବୀ ହେବା ସତ୍ତେ୍ୱ ମଧ୍ୟ ତାଙ୍କର ପ୍ରଭୁ ରାମଙ୍କ ପ୍ରତି ଥିବା ବିଶ୍ୱାସ ଏବଂ ଶ୍ରଦ୍ଧାକୁ ସାରା ଦେଶର ରାମଭକ୍ତମାନେ ସ୍ୱାଗତ କରିଛନ୍ତି ।

ସେ ୮ ଦିନ ପୂର୍ବରୁ ନିଜର ଦୁଇ ଜଣ ସାଥୀ ରମଣ ରାଜ ଶର୍ମା ଏବଂ ବିନୀତ ପାଣ୍ଡେଙ୍କ ସହିତ ଏହି ପଦଯାତ୍ରା ଆରମ୍ଭ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଏଥି ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଛି । ପ୍ରାୟ ୪୫୩ କିଲୋମିଟର ପଦଯାତ୍ରା କରିବାପରେ ସେ ମଧ୍ୟ ପ୍ରଦେଶର ଖରଗୋନ ଜିଲ୍ଲାର ସୀମାକୁ ଲାଗି ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥ ଦେଇ ଜୁଲବାନିୟାଁ ଗାଁରେ ପହଞ୍ଚିଛନ୍ତି । ତେବେ ଏଠାର ହିନ୍ଦୁ ଏବଂ ମୁସଲମାନ ଉଭୟ ସମ୍ପ୍ରଦାୟର ଲୋକମାନେ ତାଙ୍କର ଖୁବ ଭବ୍ୟ ସ୍ୱାଗତ କରିଛନ୍ତି । ତେବେ ବର୍ତ୍ତମାନ ତାଙ୍କର ଆହୁରି ପ୍ରାୟ ୧୧୫୦ କିଲୋମିଟର ଯାତ୍ରା କରିବା ବାକି ଅଛି ।

ତେବେ ଶବନମଙ୍କର ଏପରି ପଦକ୍ଷେପ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଏବଂ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । କିନ୍ତୁ ଅନ୍ୟପକ୍ଷରେ ତାଙ୍କୁ ଏଥିପାଇଁ ବିଭିନ୍ନ ନକାରାତ୍ମକ ପ୍ରତିକ୍ରିୟା ମଧ୍ୟ ମିଳୁଛି । କିନ୍ତୁ ଶବନମ ଏ ସମସ୍ତ କଥାକୁ ଖାତିର ନକରି ନିଜ ଲକ୍ଷ ପଥରେ ‘ଜୟ ଶ୍ରୀ ରାମ’ କହି ଆଗେଇ ଚାଲିଛନ୍ତି ।