ମୁସଲିମ୍ ଲିଗ୍ ଏକ ଧର୍ମନିରପେକ୍ଷ ପାର୍ଟି: ରାହୁଲଙ୍କ ବୟାନକୁ ନେଇ ବଢ଼ିଲା ବିବାଦ, ବିଜେପି କହିଲା ଦେଶକୁ ବିଭାଜନ କରିଛି କିଏ
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଆମେରିକା ଗସ୍ତରେ ଯାଇଛନ୍ତି । ଏହି ଅବସରରେ ରାହୁଲ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଉପରେ ବର୍ଷିଛନ୍ତି । ୱାଶିଂଟନ ଡିସିର ନ୍ୟାସନାଲ ପ୍ରେସ କ୍ଲବରେ ଆୟୋଜିତ ସମ୍ମିଳନୀରେ ରାହୁଲଙ୍କୁ କେରଳରେ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ୍ (ଆଇୟୁଏମଏଲ) ସହ କଂଗ୍ରେସର ଗଠବନ୍ଧନ ନେଇ ପ୍ରଶ୍ନ କରାଯାଇଥିଲା । ତେବେ ଏହାପରେ ରାହୁଲଙ୍କ ବୟାନକୁ ନେଇ ଆରମ୍ଭ ହୋଇଛି ବଡ଼ ବିବାଦ ।
ଆଇୟୁଏମଏଲ ସହ କଂଗ୍ରେସର ମେଣ୍ଟକୁ ନେଇ କରାଯାଇଥିବା ପ୍ରଶ୍ନର ଉତ୍ତରରେ ରାହୁଲ କହିଥିଲେ, ମୁସଲିମ୍ ଲିଗ ସମ୍ପୂର୍ଣ୍ଣ ଭାବେ ଏକ ଧର୍ମନିରପେକ୍ଷ ପାର୍ଟି । ଏହି ଦଳରେ ନନ ସେକ୍ୟୁଲାର ନାହିଁ । ତେବେ ରାହୁଲଙ୍କ ଏହି ବୟାନ ପରେ ବିଜେପି ପାଲଟା ଆକ୍ରମଣ କରିଛି । ବିଜେପି ନେତା ଅମିତ ମାଲବୀୟ କହିଛନ୍ତି, ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ମୁସଲିମ ଲିଗ ଭାରତକୁ ଧାର୍ମିକ ଆଧାରରେ ବିଭାଜନ ପାଇଁ ଦାୟୀ ଅଟେ । ଅନ୍ୟପଟେ ତାହା ଏକ ଧର୍ମନିରପେକ୍ଷ ଦଳ ବୋଲି ରାହୁଲ କହିଛନ୍ତି । ୱାୟନାଡ଼ରେ ନିଜର ଗ୍ରହଣୀୟତାକୁ ବଜାୟ ରଖିବା ପାଇଁ ରାହୁଲ ଏପରି କହିବାକୁ ବାଧ୍ୟ ହେଉଛନ୍ତି ।
ଏଥିସହିତ ରାହୁଲ କହିଥିଲେ, ବିପକ୍ଷ ଦଳମାନେ ଏକଜୁଟ୍୍ ହୋଇ ବହୁତ ଭଲ କାମ କରୁଛନ୍ତି । ସେମାନଙ୍କ ମଧ୍ୟରେ ଏକ ଲୁଚି ରହିଥିବା ଅଣ୍ଡର କରେଣ୍ଟ ସୃଷ୍ଟି ହୋଇଛି । ଆସନ୍ତା ଲୋକସଭା ନିର୍ବାଚନରେ ଲୋକଙ୍କୁ ଏହା ଆଶ୍ଚର୍ଯ୍ୟ କରିଦେବ । ଆଗାମୀ ଦୁଇ ବର୍ଷ ମଧ୍ୟରେ କଂଗ୍ରେସ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ମୁଁ ଭାବୁଛି । କର୍ଣ୍ଣାଟକର ଫଳାଫଳ ଦେଶବାସୀ ଦେଖିଲେ ଏବେ ଆଉ ୪ଟି ବିଧାନସଭା ନିର୍ବାଚନକୁ ହିଁ ଅପେକ୍ଷା । ଆଗକୁ ଯାହା ହେବାକୁ ଯାଉଛି ତାହା ଏକ ବଡ଼ ସଙ୍କେତ ଦେବ । ସେହିପରି ଜମ୍ମୁ କଶ୍ମୀର ସମସ୍ୟାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିବ ବୋଲି ରାହୁଲ କହିଥିଲେ ।