fbpx

NAFED ଦେଉଛି ଗ୍ରାହକଙ୍କୁ ଆଶ୍ୱସ୍ତି: ଭୁବନେଶ୍ୱରରେ ୨୫ ଟଙ୍କାରେ ବିକ୍ରି ହେଉଛି ପିଆଜ, କିଣିବାକୁ ଲୋକଙ୍କ ଠେଲାପେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ପିଆଜର ଉଚ୍ଚ ଦର ଗ୍ରାହକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଦେଶର ବିଭିନ୍ନ ସ୍ଥାନରେ ପିଆଜ ଦର ଶତକ ମାରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୭୦-୮୦ ଟଙ୍କାରେ ବିକ୍ରି ହେଉଛି । ତେବେ ପିଆଜର ଏପରି ମହଙ୍ଗା ମାଡ଼ରୁ ଗ୍ରାହକଙ୍କୁ ମୁକ୍ତି ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଶସ୍ତାରେ ପିଆଜ ବିକ୍ରି କରାଯାଉଛି ।

ନ୍ୟାସନାଲ ଏଗ୍ରିକଲଚରାଲ କୋଅପରେଟିଭ୍ ମାର୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ ଲିମିଟେଡ (ନାଫେଡ) ପକ୍ଷରୁ ଗ୍ରାହକଙ୍କୁ ଶସ୍ତାରେ ପିଆଜ ବିକ୍ରି ପାଇଁ ନିଷ୍ପତ୍ତି ନିଆଯାଇଛି । ଗ୍ରାହକଙ୍କୁ କେଜି ପ୍ରତି ୨୫ ଟଙ୍କାରେ ଶସ୍ତା ପିଆଜ ଯୋଗାଇ ଦିଆଯାଉଛି । ପ୍ରତି ଗ୍ରାହକଙ୍କୁ ୨ କେଜି ଲେଖାଏଁ ପିଆଜ ଦିଆଯାଉଛି । ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନରେ ଲୋକଙ୍କୁ ଶସ୍ତାରେ ପିଆଜ ବିକ୍ରି କରାଯାଇଛି ।

ଶସ୍ତାରେ ପିଆଜ ପାଇବା ପରେ ଗ୍ରାହକମାନେ ଖୁସିରେ ପିଆଜ ନେଇ ଘରକୁ ଯାଉଥିବାର ଦେଖାଯାଉଛି । ତେବେ ଏଥିପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଥିବାର ଦେଖାଯାଉଛି । ଏବେ ରାଜ୍ୟର ମାଲକାନଗିରି, କଟକ, ଭୁବନେଶ୍ୱର, ବ୍ରହ୍ମପୁର, ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା, ଯାଜପୁର ଆଦି ସ୍ଥାନରେ ନାଫେଡ ପକ୍ଷରୁ ଶସ୍ତାରେ ପିଆଜ ବିକ୍ରି କରାଯାଉଥିବା ବେଳେ ସାରା ରାଜ୍ୟରେ ଏହା ବିକ୍ରି କରାଯିବ ବୋଲି କୁହାଯାଇଛି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଅନେକ ଗ୍ରାହକ ସୁଫଳ ପାଉଛନ୍ତି ।

Get real time updates directly on you device, subscribe now.