National Herald ମାମଲା: ଚାର୍ଜସିଟରେ ସୋନିଆ-ରାହୁଲଙ୍କ ନାଁ, କଂଗ୍ରେସର ହେବ ପ୍ରତିବାଦ
ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ
ନୂଆଦିଲ୍ଲୀ: କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ନେସନାଲ ହରୋଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନାଁରେ ଚାର୍ଜସଟ୍ ହୋଇଛି। ଏହି ଚାର୍ଜସିଟ୍ ଇଡି ଜାରି କରିଛି।
ଇଡିର ଏହି ଚାର୍ଜସିଟ୍ ବିରୋଧରେ ଦେଶବ୍ୟାପୀ ପ୍ରତିବାଦ କରିବା କଂଗ୍ରେସ। ଏ ନେଇ ପ୍ରସ୍ତୁତି ଚଳାଇଛି କଂଗ୍ରେସ।
ନେସନାଲ ହେରାଲ୍ଡ ମାମଲା: ନେସନାଲ ହେରାଲ୍ଡ ମାମଲାରେ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ଗାନ୍ଧୀ ପରିବାର ଠକେଇ କରି ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (ଏଜେଏଲ୍)ର କୋଟି କୋଟି ଟଙ୍କାର ସମ୍ପତ୍ତି ହଡ଼ପ କରିଥିବା
ଅଭିଯୋଗ ହୋଇଛି। ୟଙ୍ଗ୍ ଇଣ୍ଡିଆନ୍ରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କର ୩୮ ପ୍ରତିଶତ ଲେଖାଏଁ ଅଂଶଧନ ରହିଛି। ସୂଚନାଯୋଗ୍ୟ, ଏଜେଏଲ୍ ହେଉଛି ସେହି କମ୍ପାନି ଯାହା କି ‘ନ୍ୟାସନାଲ ହେରାଲ୍ଡ’ ଖବରକାଗଜ ଚଳାଉଥିଲା।
ଇଡିର ଆକ୍ସନ: ଇଡି ଏହି ମାମଲାରେ ୬୬୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଦିଲ୍ଲୀ, ମୁମ୍ବାଇ ଓ ଲକ୍ଷ୍ନୌରେ ଥିବା ଏହି ସମ୍ପତ୍ତିକୁ ନିଜ ଅକ୍ତିଆରକୁ ନେବା ପାଇଁ ସମ୍ପୃକ୍ତ ରେଜିଷ୍ଟ୍ରାରଙ୍କୁ ନୋଟିସ୍ ଜାରି କରାଯାଇଛି।
ବିଶେଷ କରି ଦିଲ୍ଲୀର ବାହାଦୁର ଶାହ ଜାଫର ମାର୍ଗରେ ଥିବା ହେରାଲ୍ଡ ହାଉସକୁ ନେଇ କାର୍ଯ୍ୟାନୁଷ୍ଠାନ ତ୍ବରାନ୍ବିତ କରାଯାଇଛି।
ମୁମ୍ବାଇର ବାନ୍ଦ୍ରା ଇଷ୍ଟ ଅଞ୍ଚଳରେ ଥିବା ହେରାଲ୍ଡ ହାଉସର ସପ୍ତମରୁ ନବମ ମହଲା ପର୍ଯ୍ୟନ୍ତ ଭଡ଼ାରେ ଜିନ୍ଦଲ ସାଉଥ ୱେଷ୍ଟ ପ୍ରୋଜେକ୍ଟସ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟାଳୟକୁ ମଧ୍ୟ ନୋଟିସ୍ ଦିଆଯାଇଛି। ଏ ବାବଦ ଭଡ଼ା ଏବେ ଇଡିକୁ ଦେବାକୁ ପଡ଼ିବ ବୋଲି ନୋଟିସ୍ରେ କୁହାଯାଇଛି।
ଅଭିଯୋଗ: ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ୨୦୧୪ରେ ପଟିଆଲା ହାଉସ୍ କୋର୍ଟରେ ଏ ବାବଦରେ ଏକ ମାମଲା ଦାଏର କରିଥିଲେ। ମାତ୍ର ୫୦ ଲକ୍ଷ ଟଙ୍କା ଦେଇ ଗାନ୍ଧୀ ପରିବାର ଓ ତାଙ୍କ ଘନିଷ୍ଠ ସହଯୋଗୀମାନେ ୨ ହଜାର କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଥିବା ଏଜେଏଲ୍ କମ୍ପାନିକୁ ନିଜ ଅକ୍ତିଆରକୁ ନେଇଥିବା ସେ ଅଭିଯୋଗ କରିଥିଲେ।
ଇଡି ୨୦୨୩ ନଭେମ୍ବରରେ ୬୬୧ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଏବଂ ୯୦.୨ କୋଟି ଟଙ୍କାର ସେୟାରକୁ ଅସ୍ଥାୟୀ ଭାବେ ଜବତ କରିଥିଲା। ଏହାକୁ ୨୦୨୪ ଏପ୍ରିଲରେ ମଧ୍ୟ ବିଚାରଣକାରୀ କର୍ତ୍ତୃପକ୍ଷ ଅନୁମୋଦନ କରିଥିଲେ।
ଆଜି ଇଡିର ଚାର୍ଜସିଟ୍ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଏହା ପ୍ରତିଶୋଧମୂଳକ ରାଜନୀତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀ ଦଳମାନଙ୍କୁ ଭୟଭୀତ କରିବା ପାଇଁ ଏଭଳି ରଣନୀତି ଆପଣାଉଛନ୍ତି।