fbpx

ବିଶ୍ୱ ବକ୍ଷରୁ ସବୁଦିନ ପାଇଁ ବିଲୃପ୍ତ ହୋଇଯିବେ ୧୦ ଲକ୍ଷ ପ୍ରଜାତି! ସଙ୍କଟରେ ଆମର ପ୍ରକୃତି, ବିପଦରେ ମଣିଷ ଜାତି

ନୂଆଦିଲ୍ଲୀ: ଗତ ଏକ କୋଟି ବର୍ଷ ପୂର୍ବେ ଯାହା ଘଟି ନଥିଲା ତାହା ଖୁବଶୀଘ୍ର ଘଟିବାକୁ ଯାଉଛି । ସାରା ଦୁନିଆରେ ବସବାସ କରୁଥିବା ଜୀବଜନ୍ତୁଙ୍କ ୧୦ ଲକ୍ଷରୁ ଅଧିକ ପ୍ରଜାତି ବିଲୃପ୍ତ ହେବାକୁ ଯାଉଛନ୍ତି । ଅର୍ଥାତ ଆମର ପ୍ରକୃତି ଭୟଙ୍କର ସଙ୍କଟ ଦେଇ ଗତି କରୁଛି । ତେବେ ଏଥିପାଇଁ ମଣିଷ ହିଁ ଦାୟୀ । ଜୀବଜନ୍ତୁଙ୍କ ରହିବା ସ୍ଥାନକୁ ମଣିଷ କବଜା କରିବା ସହିତ ନିଜର ସୁଖ, ସ୍ୱାଚ୍ଛନ୍ଦ୍ୟ ପ୍ରତି ଅଧିକ ଦୃଷ୍ଟି ଦେଉଛି । ଏହାବ୍ୟତୀତ ପ୍ରଦୂଷଣ ଓ ଗ୍ଲୋବାଲ ୱାର୍ମିଂ ମଧ୍ୟ ଏହି ପରିସ୍ଥିତି ପାଇଁ କିଛି ମାତ୍ରାରେ ଦାୟୀ ।

ତେବେ ନିକଟରେ ବିଶ୍ୱର ବୈଜ୍ଞାନିକମାନେ ଆଗକୁ ପ୍ରକୃତି ଓ ଜୀବଜନ୍ତୁଙ୍କ ସଂରକ୍ଷଣ ପାଇଁ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଗତ ଏକ କୋଟି ବର୍ଷ ପୂର୍ବେ ଯାହା ଘଟିନଥିଲା, ତାହା ଏବେ ଦେଖିବାକୁ ମିଳୁଛି । ବର୍ତ୍ତମାନ ସମୟରେ ୧୦ ଲକ୍ଷରୁ ଅଧିକ ପ୍ରଜାତି ବିଲୃପ୍ତ ହେବାକୁ ଯାଉଛନ୍ତି । ଯେତେବେଳେ କୌଣସି ପ୍ରଜାତି ସମାପ୍ତ ହୁଏ, ସେତେବେଳେ ତା’ର ଜୀନ୍ସ, ବ୍ୟବହାର, କାର୍ଯ୍ୟ ଓ ବୃକ୍ଷଲତା ସହିତ ତା’ର ସମ୍ବନ୍ଧ ସମାପ୍ତ ହୋଇଯାଏ ।

ଗୋଟିଏ ପଶୁ ମୃତ୍ୟୁବରଣ କରିବା ପରେ ତା’ର ପ୍ରଭାବ ଆଖାପାଖର ପରିବେଶ ଉପରେ ପଡ଼ିଥାଏ । କାରଣ ଯେ କୌଣସି ଜୀବର ବିକାଶ ହେବା ପାଇଁ କୋଟି-ଅରବ ବର୍ଷ ଲାଗିଥାଏ, ମାତ୍ର ସମାପ୍ତ ହେବା ପାଇଁ ମାତ୍ର କିଛି ବର୍ଷ ସମୟ ଲାଗିଥାଏ । ଅନେକ ବୃକ୍ଷଲତା ମାଟିରେ ପୋଷକ ତତ୍ତ୍ୱ ବୃଦ୍ଧିରେ ସହାୟକ ହେବା ସହିତ ଜଙ୍ଗଲରେ ଫର୍ଟିଲାଇଜେସନ କରିଥାନ୍ତି । ଏଥିସହିତ ପଶୁଙ୍କ ସଂଖ୍ୟାକୁ ମଧ୍ୟ ନିୟନ୍ତ୍ରିତ କରିଥାନ୍ତି । ଯେତେ ଅଧିକ ପ୍ରଜାତି ଧ୍ୱଂସ ପାଇବେ, ମଣିଷ ସେତିକି ଅନୁପାତରେ କ୍ଷତିଗ୍ରସ୍ତ ହେବ । ଗତ ୫୦୦ ବର୍ଷ ମଧ୍ୟରେ ଶହ ଶହ ଦୁର୍ଲ୍ଲଭ ଜୀବ ଦୁନିଆରୁ ଗାଏବ ହୋଇଯାଇଛନ୍ତି । ବର୍ଷ ୧୫୦୦ ପରଠାରୁ ବର୍ତ୍ତମାନ ସୁଦ୍ଧା ୮୮୧ଟି ପ୍ରଜାତି ଧ୍ୱଂସ ପାଇଯାଇଥିବା ବୈଜ୍ଞାନିକମାନେ କହିଛନ୍ତି ।

Get real time updates directly on you device, subscribe now.