ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ମଧ୍ୟରେ ପୁଣି ଥରେ ଲୋକପ୍ରିୟତାରେ ସବୁଠାରୁ ଆଗରେ ରହିଛନ୍ତି ନବୀନ । ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ନବୀନ । ନିକଟରେ ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ଦି ନେସନ୍ ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ ପଛରେ ପକାଇ ନବୀନ ସର୍ବାଗ୍ରେ ରହିଛନ୍ତି ।
ଏହି ରେଟିଂରେ ନବୀନ ପ୍ରଥମ ସ୍ଥାନରେ ରହିବା ସହିତ ୫୨.୭ ପ୍ରତିଶତ ରେଟିଂ ହାସଲ କରିଛନ୍ତି । ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରହିଥିବା ବେଳେ ତୃତୀୟ ସ୍ଥାନେର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରହିଛନ୍ତି । ସେମାନେ ଯଥାକ୍ରମେ ୫୧.୩ ଓ ୪୮.୬ ପ୍ରତିଶତ ରେଟିଂ ହାସଲ କରିଛନ୍ତି । ସେହିପରି ୪୨.୬ ପ୍ରତିଶତ ରେଟିଂ ସହିତ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଚତୁର୍ଥ ସ୍ଥାନରେ ରହିଛନ୍ତି ।
ଏହି ଲିଷ୍ଟରେ ନବୀନ ସର୍ବାଗ୍ରେ ରହିଥିବା ବେଳେ ତା’ ପଛରେ ଟପ୍ ୪ଟି ସ୍ଥାନରେ ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଟପ-୫ରେ କଂଗ୍ରେସ କି ଅନ୍ୟ କୌଣସି ରାଜନୈତିକ ଦଳର ମୁଖ୍ୟମନ୍ତ୍ରୀଙ୍କ ନାମ ନାହିଁ । ଆଗାମୀ ନିର୍ବାଚନକୁ ଆଉ କିଛି ମାସ ବାକିଥିବା ବେଳେ ନବୀନଙ୍କ ଲୋକପ୍ରିୟତା ଏବେ ବି ବଜାୟ ରହିଛି ତାହା ଏହି ସର୍ଭେ ପ୍ରମାଣ କରିଛି । ଏହ ପୂର୍ବରୁ ଅତୀତରେ ମଧ୍ୟ ନବୀନ ଏକାଧିକ ବାର ଜାତୀୟ ସ୍ତରରେ ଏକନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିଲେ ।