fbpx

ଦେଶକୁ ଅଲିମ୍ପିକ୍ସ ପଦକ ଉପହାର ଦେଇଛନ୍ତି ନବୀନ ପଟ୍ଟନାୟକ: ମନପ୍ରୀତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟୋକିଓରେ ଇତିହାସ ରଚି ଫେରିଥିବା ଭାରତୀୟ ହକି ଦଳକୁ ସମ୍ମାନିତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ପହଞ୍ଚିଥିବା ଉଭୟ ପୁରୁଷ ଓ ମହିଳା ହକି ଦଳକୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉଭୟ ହକି ଦଳର ସମସ୍ତ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଓ ସପୋର୍ଟ ଷ୍ଟାଫଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଉଭୟ ଦଳର ଅଧିନାୟକ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ମହିଳା ଦଳର ଅଧିନାୟିକା ରାଣୀ ରାମପାଲ ଓଡ଼ିଶା ବାସୀଙ୍କ ହକି ପ୍ରତି ଅବଦାନକୁ ବେଶ ପ୍ରଶଂସା କରିଥିଲେ । ହକିରେ ଓଡ଼ିଶା ଆମକୁ ସର୍ବଦା ଉତ୍ସାହିତ ଓ ଅନୁପ୍ରାଣିତ କରିଛି ବୋଲି ରାଣୀ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ପୁରୁଷ ଦଳର ଅଧିନାୟକ ମନପ୍ରୀତ ସିଂ ନବୀନଙ୍କୁ ପ୍ରଶଂସା କରିଛନ୍ତି । ଟୋକିଓରେ ପୁରୁଷ ହକି ଦଳ ପଦକ ବିଜୟୀ ହୋଇଛି । ମାତ୍ର ବାସ୍ତବରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର ଏହା ଦେଶକୁ ଉପହାର ବୋଲି କହିଛନ୍ତି ମନପ୍ରୀତ୍ । ଉଭୟ ପୁରୁଷ ଏବଂ ମହିଳ।। ଦଳର ଖେଳାଳିଙ୍କ ପକ୍ଷରୁ ସାଇନ କରାଯାଇଥିବା ଜର୍ସି ନବୀନ ପଟ୍ଟକନାୟକଙ୍କୁ ପ୍ରଦାନ କରାଯାଇଥିଲା ।

ଆର୍ଥିକ ସହାୟତା ବ୍ୟତିତ ଅଲିମ୍ପିକ୍ସର ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହା ମଧ୍ୟରେ ୧୩ଟି ପୁରସ୍କାର ସାମିଲ ରହିଥିଲା । ପୁରୁଷ ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ଗୋଲ ପାଇଁ ହରମନପ୍ରୀତ ସିଂ, ସର୍ବାଧିକ ଗୋଲ ସେଭ୍ ପାଇଁ ପି ଆର ଶ୍ରୀଜେସ୍, ସର୍ବାଧିକ ଆସିଷ୍ଟ ପାଇଁ ନୀଳକଣ୍ଠ ଶର୍ମା, ରୂପିନ୍ଦର ପାଲ ସିଂଙ୍କୁ ସର୍ବାଧିକ ଡିଫେଣ୍ଡ, ହରମନପ୍ରୀତ ସିଂ ଓ ଅମିତ ରୋହିଦାସଙ୍କୁ ଇଣ୍ଟରସେପ୍ସନ ପାଇଁ ମିଡଫିଲ୍ଡର ଭାବରେ ପୁରସ୍କୃତ କରାଯାଇଥିଲା ।
ମହିଳା ଖେଳାଳିଙ୍କ ମଧ୍ୟରେ ଗୁରଜିତ କୌର ଓ ବନ୍ଦନା କଟାରିୟାଙ୍କୁ ସର୍ବାଧିକ ଗୋଲ ପାଇଁ ପୁରସ୍କୃତ କରାଯାଇଥିଲା । ସବିତା ପୁନିଆଙ୍କୁ ସର୍ବାଧିକ ଗୋଲ ସେଭ୍ ପାଇଁ ପୁରସ୍କୃତ କରାଯାଇଥିବା ବେଳେ ସର୍ବାଧିକ ଆସିଷ୍ଟ କରିଥିଲେ ନବନୀତ କୌର ଓ ରାଣୀ ରାମପାଲ । ଏହା ବ୍ୟତିତ ଦୀପ ଗ୍ରେସ ଏକ୍କାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ଏବଂ ପି ସୁଶୀଳା ଚାନୁଙ୍କୁ ମିଡଫିଲ୍ଡରେ ସର୍ବାଧିକ ଇଣ୍ଟରସେପ୍ସନ ପାଇଁ ପୁରସ୍କୃତ କରାଯାଇଥିଲା । ଏହି ଖେଳାଳି ମାନଙ୍କ ସଫଳତା ପାଇଁ ସେମାନଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.